ରାୟଗଡା: ପୌର ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ରାୟଗଡ଼ ପୌରାଞ୍ଚଳରେ ନିର୍ବାଚନ ଲାଗି ମଙ୍ଗଳବାର ଦିନ ରାୟଗଡ଼ ବ୍ଲକ ସଦଭାବନା ଗୃହ ଠାରେ ୩୩ ଗୋଟି ପ୍ରିଜାଇଡିଂ, ପ୍ରଥମ ପୋଲିଙ୍ଗ ଅଧିକାରୀ ତଥା ସମସ୍ତ ସେକ୍ଟର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ବ୍ରହ୍ମାନନ୍ଦ ବେହେରା ଯୋଗ ଦେଇ ଇଭିଏମ୍ ମେସିନର ବ୍ୟବହାର, ଅଧିକାରୀଙ୍କ ଦାଇତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ପାୱାର ପଏଣ୍ଟ ମାଧ୍ୟମରେ ଭୋଟିଂ ପ୍ରକ୍ରିୟା, ସିଲିଂ ପଦ୍ଧତି ଓ ଫର୍ମ ପୂରଣ କୌଶଳ ପ୍ରଦାନ କରାଯାଇଥିଲା ।
ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ମାଷ୍ଟର ତାଲିମ ଦାତା ରୂପେ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼, ରାୟଗଡ଼ ଅତିରିକ୍ତ ତହସିଲଦାର ସୁନିଲ ଖୋରା ଉପସ୍ଥିତ ଥିଲେ । ପୌର ନିର୍ବାହୀ ଅଧିକାରୀ ବିଲାଲ ଅହମଦ,ତହସିଲଦାର ତାପସ ରାଉତ, ଏସ ଡି ପି ଓ ସୂର୍ଯ୍ୟ ନାରାୟଣ ମହାରଣା, ଚନ୍ଦ୍ରଶେଖର ରଥ, ପି ଏ ଗୋପାଳ ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ ରେ ସହଯୋଗ କରିଥିଲେ ।
ଉକ୍ତ ତାଲିମର ରାୟଗଡ଼ ଥାନାରୁ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।ତାଲିମକୁ ସହଜ ଓ ବୋଧଗମ୍ୟ କରିବା ନିମନ୍ତେ ପାୱାର ପଏଣ୍ଟ ଓ ଇଭିଏମ ମେସିନର ବ୍ୟବହାର ପାଇଁ ଦୁଇଟି ସ୍ବତନ୍ତ୍ର ପ୍ରକୋଷ୍ଠରେ ତାଲିମର ଆୟୋଜନ କରାଯାଇଥିଲା । ଉପ ଜିଲ୍ଲାପାଳ ପ୍ରଧାନ ପୋଲିଂଗ ଅଧିକାରୀଙ୍କ ଭୂମିକା ଓ ଫର୍ମ ପୂରଣ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ତାଲିମାର୍ଥିଙ୍କୁ ସ୍ବତନ୍ତ୍ର ଭାବରେ ବାଲଟ ଓ କଣ୍ଟ୍ରୋଲ ୟୁନିଟ କୁ ଯୋଡିବା, ମକପୂଲ୍ ପ୍ରକ୍ରିୟା, ସିଲିଂ ଆଦି କୌଶଳ ଆଲୋଚନା କରିଥିଲେ । ଆଜି(ବୁଧବାର) ଅବଶିଷ୍ଟ ପୋଲିଙ୍ଗ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ