ରାୟଗଡ଼ା: ନୀଳ ଜହରର ବିଷ ବଳୟରେ ରହିଛି ରାୟଗଡା ଜିଲ୍ଲା । ନୀଳ ଜହର ପାଇଁ ଏଠି ଚାଲିଛି ପୋଲିସ ଓ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ସୂଚନାମୁତାବକ, ପୋଲିସ, ଅବକାରି ଓ ବନବିଭାଗ ମିଳିତ ଭାବରେ ଅପରେସନ ଗ୍ରୀନ ଡାଇମଣ୍ଡ ସମୟରେ ଗଞ୍ଜେଇ ଚାଷକୁ ସମ୍ପୁଣ୍ଣ ନଷ୍ଟ କରିବା ପାଇିଁ ପହଞ୍ଚିଥିଲେ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାର୍କୀମା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ତୋଗାପାଙ୍ଗା ଗ୍ରାମରେ । କିନ୍ତୁ ଗଞ୍ଜେଇ ଗଛ ନଷ୍ଟ କରିବା ସମୟରେ ଗଞ୍ଜେଇ ଚାଷ କରୁଥିବା ଗ୍ରାମବାସିଙ୍କ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ଏହି ଟିମକୁ ।
ଏପରିକି କିଛି ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବାର ମଧ୍ୟ ଦେଖିବାକୁ ମିଳିଛି । ତେବେବି ପୋଲିସ ଏଥିକୁ ଭୃକ୍ଷେପ ନକରି ଗଞ୍ଜେଇ ଗଛ ନଷ୍ଟ କରିଚାଲିଥିଲେ । ସବୁଠାରୁ ବଡ କଥା ପ୍ରତି ଶହ ଶହ ଏକର ଜମିରୁ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଗଜେଇ ଗଛ, ହେଲେ ଗଞ୍ଜେଇ ମାଫିଆଙ୍କ ଚୋରାଚାଲାଣ ଥମିବାର ନା ନେଉନି ।
ଆଦିବାସୀଙ୍କୁ ଉସୁକାଇ ଗଞ୍ଜେଇ ଚାଷ କରାଉଥିବା ଗଞ୍ଜେଇ ମାଫିଆ ଖସିଯିବାରେ ସକ୍ଷମ ହେଉଥିବା ବେଳେ ଏଯାଏଁ ପୋଲିସ ବି ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହୋଇପାରିନି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ