ରାୟଗଡ଼ା: କୋରୋନା ମୁକାବିଲା ପାଇଁ ଜିଲ୍ଲା ଚିକିତ୍ସାଳୟରେ ଜୀବନ ରକ୍ଷକ ଅକ୍ସିଜେନ ପ୍ଲାଣ୍ଟର ଶୁଭ ଉଦଘାଟନ ହୋଇଛି । ଏପରି କରି ପ୍ରଧାନମନ୍ତ୍ରୀ ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରାଇପାରିଛନ୍ତି । କୋରୋନା ରୋଗୀଙ୍କ ପାଇଁ ନିହାତି ଅତ୍ୟାବଶ୍ୟକ ଅମ୍ଳଜାନ ଯୋଗାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଜିଲ୍ଲା ଡାକ୍ତରଖାନରେ ଗୋଟିଏ ଗୋଟିଏ PSA ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରି ରୋଗୀଙ୍କୁ ନିର୍ଭୟ କରାଇ ପାରିଛନ୍ତି ମୋଦି ।
ଏହାଦ୍ବାରା ବାହାରୁ ଅମ୍ଳଜାନ ରପ୍ତାନୀ ହେବା ବଦଳରେ ଉକ୍ତ ପ୍ଲାଣ୍ଟ ଦ୍ବାରା ଉତ୍ପାଦନ ହୋଇ ରୋଗୀଙ୍କ ସେବାରେ ଲାଗିପାରିବ । ପ୍ରଧାନମନ୍ତ୍ରୀ ମୋଦି ଆଜି ପୂର୍ବାହ୍ନ 11ଟାରେ ଦେଶର 22 ରାଜ୍ୟ ଓ 7ଟି କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ଅନ୍ୟତମ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟର ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଏମ କେୟାର ଫଣ୍ଡରୁ ନିର୍ମିତ ଏହି PSA ଅମ୍ଳଜାନ ପ୍ଲାଣ୍ଟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଆର୍ତ୍ତବନ୍ଧୁ ନାୟକ ସମେତ କୋଭିଡ ଯୋଦ୍ଧା ଉପସ୍ଥିତ ଥିଲେ ।
ଦେଶ କୋରୋନା ସହ ଲଢେଇ ଜାରି ରଖିଥିବା ବେଳେ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିଲା । ଯାହାକୁ ଭରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନାକେଦାମ ହେବାକୁ ପଡିଥିଲା । ଜିଲ୍ଲାରେ ଆଜି ସୁଦ୍ଧା 20ହଜାର 94ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 19ହଜାର 9ଶହ 2ଜଣ ସୁସ୍ଥ ହୋଇଛନ୍ତି ଓ 160ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ବାରା ଆଉ ଆଗକୁ ଅମ୍ଳଜାନ ଆମଦାନୀ କରିବାକୁ ପଡିବନି ଓ ଜିଲ୍ଲା ଡାକ୍ତରଖାନାର ସମସ୍ତ ଶଯ୍ୟାଗୁଡିକୁ ସଂଯୋଗ କରି ଆବଶ୍ୟକୀୟ ଅମ୍ଳଜାନ ପୂରଣ କରିପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ