ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ତଳସାଙ୍କେଶ ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ୧୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଅଟୋରେ ୧୮ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ରାୟଗଡ଼ା ଅଭିମୁଖେ ଯାଉଥିଲେ । ୩୨୬ ଜାତୀୟ ରାଜପଥ ସାଙ୍କେଶ ନିକଟର ହଠାତ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ । ଫଳରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଅଟୋରେ ୧୮ ଜଣ ଲୋକେ ଥିବାରୁ ଶ୍ବାସରୁଦ୍ଧ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।
ଖବରପାଇ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ସମସ୍ତ ଆହତଙ୍କ ସହିତ ଆଲୋଚନା କରିବା ପରେ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ରାୟଗଡ଼ା ଜିଲ୍ଲା କିଆପାଢୁ ଗାଁର ତୁଳସୀ ମିଣିଆକା ବୋଲି ଜଣାପଡ଼ିଛି ।
ସେହିପରି ଆଜି କେନ୍ଦୁଝର ଜିଲ୍ଲାସ୍ଥିତ ପଣ୍ଡାପଡା ଥାନା ଅନ୍ତର୍ଗତ ଉକୁଚାବେଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନିକଟସ୍ଥ ଉକୁଚାବେଡାରେ ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନାରୁ ଜଣାପଡ଼ିଛି ।
ଆଜି ସକାଳୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼କମଣ୍ଡରା ଗ୍ରାମର କିଛି ଲୋକ ସୋଲା ବିକିବାକୁ କେନ୍ଦୁଝର ସହରକୁ ଆସିଥିଲେ । ସୋଲା ଗଛ ବିକି ସାରି କେନ୍ଦୁଝର ସହରରୁ ଗ୍ରାମକୁ ଏକ ଅଟୋ ଯୋଗେ ଫେରୁଥିଲେ । ଫେରିବା ସମୟରେ ସ୍ଥାନୀୟ ଉକୁଚାବେଡାରେ ଏକ ପିକ୍-ଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପଣ୍ଡାପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।
ଇଟିଭି ଭାରତ, ରାୟଗଡ଼ା