ରାୟଗଡା: ଗତ ଶୁକ୍ରବାର ଦିନ ଓକିଲଗୁଡ଼ା ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ ଘଟଣାର ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତ ଦିନରେ ରାୟଗଡ଼ା ଜିଲ୍ଲାପାଳ ଜଣେ ଆରଆଇ, ଦୁଇଜଣ ଏଆରଆଇଙ୍କ ବିରୋଧିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୁଣପୁର ତହସିଲଦାରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସରକାରଙ୍କୁ ସୁପାରିଶ କରିଥିଲେ ।
ଆଜି ରାଜ୍ୟ ରାଜସ୍ବ ତଥା ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ସଚିବ ଚିଠି ନମ୍ବର 30788 ତାରିଖ 21 -8-20 ପ୍ରକାରେ ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବିନ କରିବା ସହ ତାଙ୍କୁ ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ନେଇ ରାୟଗଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି ଗୁଣପୁର ସହରର ଉପକଣ୍ଠରେ ଥିବା ଓକିଲଗୁଡା ପଥର ଖାଦାନକୁ ସରକାରଙ୍କ ବିନା ଅନୁମତିରେ ଦିଆଯାଇଥିଲା । ପଥର ଖାଦାନରେ ବିସ୍ଫୋରଣ ପାଇଁ କିଏ ଲିଜ ଅନୁମତି ଦେଇଥିଲା ଏବଂ କିପରି ରାଜସ୍ବ ବିଭାଗ ପକ୍ଷରୁ ମିଳିଥିଲା ସେ ନେଇ ରାୟଗଡ଼ା ଏସପି , ଏଡ଼ିଏମ ଏବଂ ଗୁଣପୁର ଉପଜିଲ୍ଲାପାଳଙ୍କ ଏକ ବିସ୍ତ୍ରୁତ ରିପୋର୍ଟ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରଯାଇଥିଲା । ଏହି ରିପୋର୍ଟ ଆଧାରରେ ଜିଲ୍ଲାପାଳ ଗୁଣପୁର ତହସିଲଦାର ଲକ୍ଷ୍ଣୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ ।
ଏଥିସହ ସଦର ଆରଆଇ ସନ୍ତୋଷ କୁମାର ପଣ୍ଡା, ଏଆରଆଇ ସନ୍ତୋଷ କୁମାର ଦାଶ ଠିକାରେ ଚାକିରୀ କରୁଥିବାରୁ ଏମାନଙ୍କୁ ଚାକିରୀରୁ କାହିଁକି ବହିଷ୍କାର କରାଯିବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେହିଭଳି ଗୁଣପୁର ସଦରର ଅନ୍ୟ ଜଣେ ଏଆରଆଇ ଅନୁପ କୁମାର ମାର୍ଥାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେହିପରି ଗୁଣପୁର ଅତିରିକ୍ତ ତହସିଲଦାର କୁଶ ଗରଡ଼ା ଏବଂ ରାଜସ୍ବ ପରିଦର୍ଶକ ଶରତ ଚନ୍ଦ୍ର ଆନନ୍ଦଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ। ତେବେ ଆଗକୁ ଆଉ କାହାର ପାଳି ପଡୁଛି ତାହା ଦେଖିବାକୁ ବାକି ରହିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ