ରାୟଗଡା: ୧୨ ଦଫା ଦାବିନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ। ରାଜ୍ୟସରକାରଙ୍କ ଦ୍ବାରା ପ୍ରଣୀତ ଶ୍ରମ ଆଇନକୁ ଠିକଭାବେ ପ୍ରଣୟନ କରାଯାଉନଥିବା ଅଭିଯୋଗ । ଯାହାକୁ ନେଇ ଶତାଧିକ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ସଂଘ ଗାନ୍ଧୀ ପାର୍କରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି ।
ସେମାନଙ୍କ ବିଭିନ୍ନ ଦାବି ଗୁଡିକ ହେଲା ନିର୍ମାଣ ଶ୍ରମିକ ପଞ୍ଜିକରଣକୁ ସରଳି କରଣ, ପଞ୍ଜିକୃତର ୫ବର୍ଷ ପରେ ମାସିକ ୩ହଜାର ଟଙ୍କା ପେନସନ, ନିମ୍ନମାନର ଉପକରଣ ଯୋଗାଉଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ,ଜିଲ୍ଲାର ୮୦ ପ୍ରତିଶତ ସେସ ପ୍ରଦାନ, ଗୃହ ନିର୍ମାଣ ରାଶି ପ୍ରଦାନରେ ଜଟିଳତା ବନ୍ଦ କରିବା ସହ ଭୂମି ହୀନମାନଙ୍କୁ ଘର ପଟ୍ଟା ପ୍ରଦାନ ।
ସେହିପରି ନିର୍ମାଣ ବୋର୍ଡର ଭିର୍ତ୍ତିଭୂମି ଗଠନ ସହ ଆବଶ୍ୟକ କର୍ମଚାରୀ ଏବଂ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି, ଶ୍ରମିକଙ୍କ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ବନ୍ଦ, ଶ୍ରମ କାର୍ଯ୍ୟାଳୟ ନିକଟରେ ଶ୍ରମ ଆଶ୍ରୟସ୍ଥଳ ନିର୍ମାଣ ଆଦି ୧୨ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମ କମିଶନରଙ୍କ ଜରିଆରେ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା କୋଠାବାଡ଼ି ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସଭାପତି ଅରୁଣ କୁମାରଲେଙ୍କା,ଜିଲ୍ଲା ସଭାପତି ଗୋପୀନାଥ କଣ୍ଡଗୋରୀ, ଜିଲ୍ଲା ସମ୍ପାଦକ ବିଷ୍ଟ୍ନୁ ହୁଈକାଙ୍କ ସହ ଅନ୍ୟମାନେ ଯୋଗଦେଇଥିଲେ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ