ରାୟଗଡା: ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ନେଇଥିଲେ ସେଲ୍ଫି । ହାତକୁ ଲାଗିଗଲା ୨୫ କେଭି ବିଦ୍ୟୁତ ତାର । ଫଳରେ ଘଟଣାସ୍ଥଳରେ ନାବାଳକଙ୍କର ମୃତ୍ୟୁ ହୋଇଛି । କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ନାବାଳକ ହେଲେ କାଶୀପୁର ବ୍ଲକ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ।
ଏବେ ଶିଶୁଙ୍କ ମଧ୍ୟରେ ଘାରିଛି ରିଲ୍ସ ନିଶା । ସେ ଟ୍ରେନ ହେଉ କିମ୍ବା ଜଳ ପ୍ରପାତ ସବୁଠି ସେଲ୍ଫି ଭିଡିଓ ସାଜିଛି କାଳ । ଏକ ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା ୧୫ ବର୍ଷୀୟ ନାବାଳକଙ୍କ ପାଇଁ କାଳ ସାଜିଛି । ୨୫କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Menstrual Pain Leave: ଋତୁସ୍ରାବରେ ମିଳିବ ଛୁଟି ! ଆବେଦନକୁ ଗୁରୁତ୍ବ ଦେଲେ ସୁପ୍ରିମକୋର୍ଟ
ସୂଚନାଅନୁସାରେ, ଦେବେନ୍ଦ୍ର ନାୟକଙ୍କ ପରିବାର ଗତକାଲି ଏକ ବାହାଘରକୁ ଯୋଗ ଦେବା ପାଇଁ ଭାଲୁମସ୍କା ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦେବେନ୍ଦ୍ର ଗାଁର ଦୁଇଟି ସାଙ୍ଗଙ୍କ ସହିତ ଭାଲୁମସ୍କା ରେଳ ଷ୍ଟେସନ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ଦୀର୍ଘ ସମୟ ଧରି ଏକ ମାଲବାହୀ ଟ୍ରେନ ଅଟକି ରହିଥିବା ବେଳେ ଭିଡିଓ କରିବା ପାଇଁ ସେ ଇଞ୍ଜିନ ଉପରକୁ ଚଢିଯାଇଥିଲେ ।
ତଳେ ଥିବା ତାଙ୍କ ଦୁଇ ସାଙ୍ଗ ବାରଣ କରିବା ସତ୍ତ୍ବେ ମଧ୍ୟ ସେ ଶୁଣିନଥିଲେ । ତେବେ ସେହି ସମୟରେ ବିଦ୍ୟୁତ ତାର ଲାଗିଯିବା ଯୋଗୁଁ ସେ ତଳକୁ ଛିଟିକି ହୋଇ ପଡିଥିଲେ । ଫଳରେ ଦେବେନ୍ଦ୍ର ଜଳିଯିବା ସହ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ସେପଟେ ଦେବେନ୍ଦ୍ରକୁ ବଞ୍ଚେଇବାକୁ ଯାଇ ଦୁଇ ସାଙ୍ଗ ମଧ୍ୟ ଆହତ ହୋଇଥିଲେ । ତେବେ ଦୁଇଜଣ ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରିବା ସହ ମୃତ ନାବାଳକଙ୍କ ମୃତଦେହ ଜବତ କରିଛି ଆରପିଏଫ । ଘଟଣା ସ୍ଥଳରେ ଷ୍ଟେସନ ମାଷ୍ଟ୍ରଙ୍କ ସମେତ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଦୁଇ ନାବାଳକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ ସୂଚନା ରହିଛି । ତେବେ ଦେବେନ୍ଦ୍ରଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଇଟିଭି ଭାରତ, ରାୟଗଡା