ରାୟଗଡା: ଦଳମତ ନିର୍ବିଶେଷରେ ସମୂହ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଅସିଦ୍ଧ ଘୋଷଣା ହେବା ପରଠୁ କୋମାରେ ଜିଲ୍ଲାର ଉନ୍ନୟନ ଯୋଜନା । ୨୦୧୭ରେ ଅନୁଷ୍ଠିତ ଜିଲ୍ଲାପରିଷଦର ଅଧ୍ୟକ୍ଷ ପଦବୀ ନିର୍ବାଚନ ବେଳେ ପ୍ରତ୍ୟେକ ରାଜନୈତିକ ଦଳର ଜଣେ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ଦେଖାଇ ଦଳିୟ ପ୍ରାର୍ଥୀଙ୍କୁ ଭୋଟ ଦେବାର ବିଧାନ ରହିଥିବା ବେଳେ ବିଜେପି ନିଜ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇନଥିଲା ।
ଏପରିକି ବିଜେପିର ଜିଲ୍ଲାପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା କଂଗ୍ରେସ ପର୍ଯ୍ୟବେକ୍ଷକଙ୍କୁ ଦେଖାଇ ନିଜ ଭୋଟ ଦେଇଥିଲେ । ଯାହା ଫଳରେ ଗୁପ୍ତ ମତଦାନରେ ବ୍ୟହତ ସାଙ୍ଗକୁ ସରକାରଙ୍କ ନିର୍ବାଚନ ନିୟମର ଖିଲାଫ ଦର୍ଶାଇ ଜିଲ୍ଲା ଦୌରାଜର୍ଜଙ୍କ ଅଦାଲତରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଜିଲ୍ଲା ଜର୍ଜ ଗତ ଡ଼ିସେମ୍ବରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ରଦ୍ଦ କରିଥିଲେ ।
ସେହି ଦିନରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୧୦ ମାସ ଧରି ଜିଲ୍ଲା ପରିଷଦ ବୈଠକ ହୋଇପାରିନାହିଁ । ଦୀର୍ଘ 10ମାସ ହେବ ଜିଲ୍ଲା ପରିଷଦ ବୈଠକ ଡକାଯାଇ ନଥିବା ବେଳେ ଶୀଘ୍ର ବୈଠକ ଡାକିବାକୁ ଅଡି ବସିଛନ୍ତି ସମସ୍ତ ଜିଲ୍ଲା ପରିଷଦ ସଭ୍ୟ । ଏପରିକି ଶୀଘ୍ର ବୈଠକ ନଡାକିଲେ ଦଳମତ ନିର୍ବିଶେଷରେ ସମୂହ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟବୃନ୍ଦ ।
ପୂର୍ତ୍ତ ଡାକ ବଙ୍ଗଳାରେ ଏକ ବୈଠକ କରି ଏହି ନିଷ୍ପତ୍ତି ନେବାପରେ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସେମାନେ । ତେବେ ଜିଲ୍ଲା ଅଦାଲତ ଜିଲ୍ଲା ପରିଷଦ ଅଧକ୍ଷଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବେଳେ ପଦ ଖାଲି କରିବାକୁ ସେଥିରେ ରାୟ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜିଲ୍ଲାପାଳ କହିବା ସହ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି । ସେପଟେ ଜିଲ୍ଲାରେ ଜିଲ୍ଲା ପରିଷଦ ବୈଠକ ହୋଇନପାରିବା ଫଳରେ ଉନ୍ନୟନ କାମ ଠପ ହୋଇଥିବା ସ୍ଵୀକାର କରିଛନ୍ତି ପିଡି ଡିଆରଡିଏ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ