ରାୟଗଡ଼ା: ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଛି କାଳ । ବର୍ଷା ସାଙ୍ଗକୁ ପବନ ହେବା ଦ୍ବାରା ଜିଲ୍ଲାରେ ଅନେକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଗଛ ପଡ଼ି ଘର ଭାଙ୍ଗି ପଡ଼ିବା ପରେ ୫ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣା ଘଟିଛି ରାୟଗଡା ଗଜପତି ଜିଲ୍ଲା ସୀମାନ୍ତ ଗରଡ଼ମା ଗାଁରେ ।
ଗତ କାଲି ମଧ୍ୟ ରାତିରେ ଝିପିଝିପି ବର୍ଷା ଯୋଗୁଁ ଏକ ବିରାଟକାୟ ଗଛ ପଡିବାରୁ ଗରଡ଼ମା ଗାଁରେ ଚାରୋଟି ଘର ଭାଙ୍ଗିବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାରି ପରିବାର । ହେଲେ ଏହି ଚାରି ପରିବାରର ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ୫ ଜଣଙ୍କୁ ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହା ବି ପଢନ୍ତୁ- ସ୍ବଧାର ଗୃହରୁ ଦୁଇ ନାବାଳିକା ନିଖୋଜ
ଏହି ଦୁର୍ଘଟଣାରେ ଜଣେ ୧୩ ବର୍ଷର ବାଳିକାକୁ ମୁଣ୍ଡରେ ଆଘାତ ଲାଗି ଗୁରୁତର ରହିଛି । ଯଦିଓ ଗରଡ଼ମା ଅଞ୍ଚଳ ଗଜପତି ଜିଲ୍ଲାର ହୋଇଥିଲେ ମଧ୍ୟ ପ୍ରଶାସନର ଦୁର୍ବଳତା କାରଣରୁ ଏହି ଅଞ୍ଚଳ ଗଜପତି ଜିଲ୍ଲାରୁ ବିଚ୍ଛିନ୍ନ ତେଣୁ ଏହି ଅଞ୍ଚଳର ଲୋକମାନେ ରାୟଗଡା ଜିଲ୍ଲାକୁ ହିଁ ସବୁ କ୍ଷେତ୍ରରେ ନିର୍ଭର କରିଥାନ୍ତି । ବଡ଼ ବଡ଼ ଗଛ ପଡ଼ିବା କାରଣରୁ ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗି ପଡ଼ିଛି । ସ୍ଥାନୀୟ ଲୋକେ ଏଥିଲାଗି ସରକାରଙ୍କ ପକ୍ଷରୁ ସହାୟତା ଲୋଡ଼ିଛନ୍ତି । ବିରାଟକାୟ ଗଛ ଗୁଡ଼ିକ ଘର ଉପରେ ପଡ଼ିବା ପରେ ଆଜବେଷ୍ଟସ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ରାୟଗଡ଼ା