ରାୟଗଡା: ମ୍ୟାଲେରିଆ ରୋକିବ ‘ଦମନ’ । ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଯୋଜନା ‘ଦମନ’। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।
ଗୋଟିଏ ପଟେ ମହାମାରୀ କୋରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଏବେ ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ମ୍ୟାଲେରିଆ । ଜିଲ୍ଲାର ଗୁଡାରୀ, ରାୟଗଡା, ମୁନିଗୁଡା, କାଶୀପୁର, କଲ୍ୟାଣସିଂପୁର ପ୍ରଭୃତି ବ୍ଲକରେ ମ୍ୟାଲେରିଆର ପ୍ରାର୍ଦୁଭାବ ବୃଦ୍ଧି ପାଉଥିବାରୁ ଏହାର ଦମନ ପାଇଁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି ।
ଏହି ବୈଠକରେ ରାଜ୍ୟ ମ୍ୟାଲେରିଆ ନିରାକରଣ ବୈଷୟିକ ଉପଦେଷ୍ଠା ଡଃ. ମଦନ ମୋହନ ପ୍ରଧାନ ଯୋଗଦେଇ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ମ୍ୟାଲେରିଆ ପ୍ରଭାବିତ ଅଂଚଳରେ ଔଷଧବୁଡା ମଶାରୀର ବିତରଣ ସହ ଟେକ୍ନିକାଲ ଟିମ୍ ଗଠନ କରି ମ୍ୟାଲେରିଆ ସଂପର୍କରେ ବ୍ୟାପକ ଜନସଚେତନ ସୃଷ୍ଟି କରାଯିବ ବୋଲି କହିଛନ୍ତି ।
ରାୟଗଡ଼ାରେ ଉଗ୍ର ରୂପ ନେଉଛି ମ୍ୟାଲେରିଆ । ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ୫ ବର୍ଷରେ ୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ମୋଟ ୩୫ ସବ ସେଣ୍ଟର ସମେତ ୩୫୦ ଗାଁ ଅତିସମ୍ବେଦନଶୀଳ ଚିହ୍ନଟ କରାଯାଇଛି ।
ଜୁନ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍କ୍ରିନିଂରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିରାକରଣ ପ୍ରକ୍ରିୟା । ସେଥିପାଇଁ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଯୋଜନା ‘ଦମନ’। ଏହି ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ କର୍ମୀ ଏବଂ ଆଶାକର୍ମୀ ମାନେ ଜିଲ୍ଲାର ଘରକୁ ଘର ବୁଲି ୮ଟି ରୋଗ ମଧ୍ୟରୁ କାହାର କେଉଁ ଲକ୍ଷଣ ରହିଛି ତାକୁ ଚିହ୍ନଟ କରିବାରେ ନିଯୋଜିତ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ