ରାୟଗଡା: ରାୟଗଡ଼ା ଜିଲ୍ଲାରେ ଥିବା 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଗୁରୁବାର ଶାନ୍ତି ପୂର୍ଣ୍ଣ ଭାବରେ ଲଟେରୀ ମାଧ୍ୟମରେ ବିତରଣ ସମ୍ପନ୍ନ ହୋଇଛି l ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି l
ପ୍ରକାଶ ଥାଉକି, ଜିଲ୍ଲାରେ 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଜିଲ୍ଲା ଅବକାରୀ ବିଭାଗ ରାୟଗଡ଼ା ତରଫରୁ ବିଜ୍ଞାପନ ପ୍ରକାଶ ଥିଲl l ବିଜ୍ଞାପନ ଅନୁଯାୟୀ ଜିଲ୍ଲାରୁ ମୋଟ 642ଟି ଆବେଦନ ପତ୍ର ପଡ଼ିଥିଲା l ଆବେଦନକାରୀମାନେ ଆବେଦନ କଲା ବେଳେ ତାଙ୍କର ଡ୍ରାଫ୍ଟ ସହ ଆବେଦନ ଲଟେରୀ କୁପନ ସଂଗ୍ରହ କରି ନେଇଥିଲେ l ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଲଟେରୀର ଉଠାଣ ବ୍ୟବସ୍ଥା କରାଯାଇଥିଲା l
ଏହି ଆବେଦନକାରୀଙ୍କ ମଧ୍ୟରୁ 505 ଜଣ ଆବେଦନକାରୀ ଉପସ୍ଥିତ ଥିଲେ । ଆବେଦନକାରୀଙ୍କ ଠାରୁ ଅବକାରୀ ରାଜସ୍ୱ ଭାବେ ସରକାର ସିଧାସଳଖ ୬ କୋଟି ୪୨ ଲକ୍ଷ ଟଙ୍କା ପାଇଛନ୍ତି । ଆଜିର ଏହି ଲଟେରୀରେ ଚୟନ ହୋଇଥିବା ନୂଆ ଭେଣ୍ଡରମାନେ ଚଳିତ ଆର୍ଥିକ ବର୍ଷରୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରୀ ସ୍ୱୀକୃତିପ୍ରାପ୍ତ ଲାଇସେନ୍ସ ପାଇଛନ୍ତି ଏବଂ ବର୍ଷକୁ ବର୍ଷ ଦୋକାନର ନବୀକରଣ ନିମନ୍ତେ ଅବକାରୀ ରାଜସ୍ୱ ସରକାରଙ୍କୁ ଦାଖଲ କରି ଦୋକାନ ପରିଚାଳନା କରିବେ l
ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଅବକାରୀ ଅଧିକ୍ଷକ ପ୍ରସନ୍ନ କୁମାର ନାୟକ ଉପସ୍ଥିତ ରହିଥିଲେ । ଲଟେରୀ ଉଠାଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା l
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ