ରାୟଗଡା: ସେପ୍ଟେମ୍ବର ମାସ 7ତାରିଖରେ ବିଷମକଟକ ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ବିଷମ କଟକ ଥାନାରେ ଏତଲା ଦିଆଯାଇଥିଲା । ତେବେ ଅଭିଯୋଗ ପରେ ମାଓ ପ୍ରବଣ ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାରକରି ସାହାସିକତାର ପରିଚୟ ଦେଇଛନ୍ତି ବିଷମକଟକ ଥାନାର ଏଏସଆଇ ରୋଜାଲିନ୍ ନାୟକ ।
ନାବାଳିକା ଜଣକ ନିଖୋଜ ଥିବା ନେଇ ନାବାଳିକାଙ୍କ ମାଆ ଏନେଇ ବିଷମ କଟକ ଥାନାରେ ଗତମାସ 7 ତାରିଖରେ ଅଭିଯୋଗ କରିଥିଲେ । ପରେ ପୋଲିସ ପକ୍ଷରୁ କେସ ନମ୍ବର୍ ୧୩୨/୨୦୨୨ ଆଇପିସି ଧାରା ୩୬୩ରେ ଏକ ଅପହରଣ ମାମାଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହି କେସର ଦାଇତ୍ୱ ନେଇଥିଲେ ବିଷମ ଥାନାର ମହିଳା ଏଏସ୍ଆଇ ରୋଜାଲିନ୍ ନାୟକ । ମାମଲା ରୁଜୁ ହେବା ପରେ ନାବାଳିକାର ଫୋନ ନମ୍ବର ଟ୍ରାକିଂ କରିବା ପରେ କୋଟଗଡ଼ ଥାନ ଅନ୍ତର୍ଗତ ଆରା ପଞ୍ଚାୟତର ବିରାମାହା ଗ୍ରାମରେ ନାବାଳିକା ଥିବା ଜଣା ପଡିଥିଲା ।
ଏହା ପରେ ମହିଳା ଏଏସ୍ଆଇ ଏକ ଟିମ ଗଠନ କରି ୧୫ ତାରିଖ ଦିନ କୋଟଗଡ଼ରେ ପହଞ୍ଚିବା ପରେ ସେଠାକାର ପୋଲିସର ସହଯୋଗ ନେଇ ଦୁର୍ଗମ ମାଓ ପ୍ରବଳ ବିରାମହା ଗ୍ରାମରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ପରେ ସେହି ଗ୍ରାମର ଅମର ପାଟମାଝୀଙ୍କ ସହ ଏହି ନାବାଳିକା ରହୁଥିବା ଜାଣିବାକୁ ପାଇଥିଲେ । ଉକ୍ତ ଯୁବକ ଓ ନାବାଳିକା ଡଙ୍ଗର ଚାଷ କରିବା ପାଇଁ ଏକ ପାହାଡ଼ ଉପରକୁ ଯାଇଥିଲେ ।
କିଛି ସ୍ଥାନୀୟ ଲୋକଙ୍କ ସହାୟତରେ ୧୫ କିଲୋମିଟ ଚାଲି ଚାଲି ପାହାଡ଼ ଉପର ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣ କରିଥିବା ସଂପୃକ୍ତ ଯୁବକକୁ ସେଠାରୁ ଆଣି ବିଷମକଟକ ଥାନାରେ ଅଟକ ରଖାଯାଇଥିଲା । ଥାନାରେ ଅଟକ ରଖିବା ପରେ ନାବାଳିକାକୁ ଜେରା କରିବା ପରେ ଉକ୍ତ ନାବାଳିକାର ସ୍କୁଲ ସାର୍ଟିଫିକେଟ ତାଙ୍କ ବୟସ ୧୮ରୁ ଉର୍ଦ୍ଧ ରହିଥିବାରୁ ସେ ସାବାଳିକା ହୋଇଥିବା ଜଣା ପଡିଥିଲା ।
ପୋଲିସର କହିବା ଅନୁସାରେ, ଉକ୍ତ ଯୁବତୀ ଜଣକ କୋଟିଗଡ଼ ଥାନା ଅନ୍ତର୍ଗତ ବିରାମାହା ଗ୍ରାମର ଅମର ପାଟ ମାଝୀଙ୍କୁ ପ୍ରେମ କରୁଥିଲେ । ଉଭୟ ଭଲ ପାଉଥିବା ନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ କହିବା ପାଇଁ ଭୟ କରୁଥିଲେ । ଯାହା ଫଳରେ ଯୁବତୀ ଜଣକ ଘରେ କାହାକୁ ନ ଜଣେଇ ଉକ୍ତ ଯୁବକ ସହ ଫେରାର ହୋଇ ଯାଇଥିଲେ । ଯୁବତୀ ଜଣଙ୍କୁ ମାଜିଷ୍ଟ୍ରେଟ ନିକଟରେ ୧୬୪ବୟାନ ରେକର୍ଡ କରାଯାଇଥିଲା । ବୟାନରେ ଉକ୍ତ ଯୁବକ ତାଙ୍କୁ ଅପହରଣ କରିନଥିବା କହିଥିଲେ । ନିଜ ଇଚ୍ଛାରେ ତାଙ୍କ ସହ ଚାଲି ଯାଇଥିବା କହିଥିଲେ । ଏହା ପରେ ଉଭୟ ପରିବାର ମଧ୍ୟରେ ଆଲୋଚନା ହେବା ପରେ ଦୁହିଁଙ୍କୁ ବିବାହ କରିବା ପାଇଁ ନିଷ୍ପତି ହୋଇଥିଲା ।
ଇଟିଭି ଭାରତ, ରାୟଗଡା