ରାୟଗଡା: ଧରାପୃଷ୍ଠରେ ଜଗତଜନନୀଙ୍କୁ ସ୍ଵାଗତ କରିବା ପାଇଁ କାଶତଣ୍ଡୀ ବିଛାଇଛି ଶ୍ଵେତ ଚାଦର । ପ୍ରକୃତିର ଏକ ଅନବଦ୍ୟ ଉପହାର କାଶତଣ୍ଡୀ । ବର୍ଷା ଋତୁର ଶୁଭ ବିଦାୟ ପରେ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ । କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ରାସ୍ତା କଡ ହେଉ କି ଗାଁ ଗହିର ଚାଷ କ୍ଷେତ ଅବା ନଇପଠା ସବୁଠି କାଶତଣ୍ଡୀର ବିଜୟ ବୈଜୟନ୍ତୀ ।
କବି ପ୍ରାଣରେ ଏହାର ସୌନ୍ଦର୍ଯ୍ୟ ଭରିଦିଏ ନବ ଉନ୍ମାଦନା । ପ୍ରେମୀ ଯୁଗଳଙ୍କ ମନରେ ସଂଚାରି ଯାଏ କାମନାର ଅଗ୍ନି ସ୍ଫୁଲିଙ୍ଗ । ଏହାର ସୌନ୍ଦର୍ଯ୍ୟର ଆଭାରେ କ୍ଷଣକ ପାଇଁ ଦର୍ଶକ ଭୁଲିଯାଏ ସମସ୍ତ ପାର୍ଥିବ ଜାତନାକୁ । ପ୍ରେମିକ ପ୍ରବର ଶରତକୁ ଆନମନା କରିବା ପାଇଁ ପ୍ରେମିକା କାଶତଣ୍ଡୀ ସତେ ଯେମିତି ସଜେଇ ହୋଇ ପବନର ତାଳେ ତାଳେ ନୃତ୍ୟର ଛନ୍ଦ ତୋଳୁଥାଏ । ପବନଟା ଲୁଚିଲୁଚି ତା କମରରେ ହାତ ମାରି ତାକୁ ହସେଇ ଚାଲିଥାଏ । ତା ଦୁଷ୍ଟାମୀରେ ସେ ଯେମିତି ଲାଜେଇ ଯାଇ ତା' ର ଇଜ୍ଜତକୁ ଢାଙ୍କିବାକୁ ଚେଷ୍ଟା କରେ । ଏ ଫୁଲ ପ୍ରକୃତରେ ପ୍ରେମର ସନ୍ତକଟିଏ । ବାସ ହୀନ ଏ ଫୁଲକୁ ନେଇ ପ୍ରେମିକ ଟିଏ ପ୍ରେମିକାର ଗାଲରେ ଆଙ୍କିଦିଏ ଏକ ମୃଦୁ ପରଶ ଯେଉଁଥିରେ ପ୍ରେମିକାର ମାନଭଂଜନ ହୁଏ । କେହି କେହି କହନ୍ତି କାଶତଣ୍ଡୀ ରାଧା ହେଲେ ଶରତ କୃଷ୍ଣ । ଉଭୟଙ୍କ ଶାଶ୍ୱତ ପ୍ରେମର ପଟାନ୍ତର ନାହିଁ । ତେଣୁ ପ୍ରକୃତିର ଏ ଦୃଶ୍ୟ ପ୍ରେମିକ ପ୍ରେମିକାଙ୍କ ପାଇଁ ଆଣେ ଏକ ନିଆରା ଅନୁଭୂତି ।
ପାର୍ବଣ ଋତୁର ସୂଚନା ସାଙ୍ଗକୁ ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନର ଵାର୍ତ୍ତା ନେଇ ସାରା ଜଗତକୁ ଜଣାଇ ଦିଏ ଶାରଦୀୟ ସନ୍ଦେଶ । ପ୍ରଲମ୍ବିତ ବାହୁ, ଆଉ ସବୁଜ ପତ୍ରର କଅଁଳ ପାପୁଲିରେ ନୈବେଦ୍ୟ ବାଢି ଅପେକ୍ଷା କରିଥାଏ ସେହି ଦେବୀ ବନ୍ଦନାକୁ । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମାଁ ଦଶ ଭୁଜା । କବି ଟିଏ ପାଇଁ ଏ କୁଆଡେ ପ୍ରେରଣାର ଉତ୍ସ । ଏହାର ରୂପ ଲାବଣ୍ୟ ରେ ବିମୋହିତ କବି କାଶ ତଣ୍ଡିର କମରରେ ଗଢି ତୋଳେ କବିତାର କୋଣାର୍କ । ବାସ୍ତବିକ ଶରତର ଏ ଅନୁପମ ଦିବ୍ୟ ସୌନ୍ଦର୍ଯ୍ୟ ସମ୍ଭାର ପ୍ରତିଟି ହୃଦ କନ୍ଦରରେ ଏମିତିକା କମ୍ପନ ସୃଷ୍ଟି କରେ ଯେ ଏହାକୁ ମନ ଖୋଲି ଉପଭୋଗ ନ କଲା ଯାଏ ତା ମନ ବିଷାଦରେ ଆଉଟୁ ପାଉଟୁ ହୁଏ । ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶ ତଣ୍ଡି ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ସ୍ବାକ୍ଷର।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ