ରାୟଗଡା: କୋରୋନା ଟିକା ନେଇ ଅଡୁଆରେ ଜେକେ ପେପର ଲିମିଟେଡ୍ । ସାରା ରାଜ୍ୟରେ କୋରୋନା ଗ୍ରୀନ ଜୋନ ପାଇଁ ବାଃ ବାଃ ସାଉଣ୍ଟିଥିବା ଜିଲ୍ଲା ପ୍ରଶାସନ ଏବେ ଟୀକାକରଣକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।
କେନ୍ଦ୍ର ସରକାର କୋଭିଡ ଟିକା ପାଇଁ ସର୍ବିଶେଷ ଗାଇଡଲାଇନ ଜାରି କରିଥିବା ବେଳେ କାହାକୁ କେତେବେଳେ ଟିକାକରଣ କରାଯିବ ତାହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ସେଥିପାଇଁ କାଳେ କେଉଁଠି ତ୍ରୁଟି ବିଚ୍ୟୁତି ରହିଯିବ ସେଇଥିପାଇଁ ତୃଣମୂଳ ସ୍ତରରେ ବାରମ୍ବାର ମକଡ୍ରିଲ ମଧ୍ୟ କରିଛନ୍ତି ।
ସବୁଠାରୁ ବଡକଥା ସରକାର ଯେଉଁ ମାନଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ସେମାନେ ବର୍ତ୍ତମାନ ସୁଦ୍ଧା ଟିକା କାରଣରୁ ବଞ୍ଚିତ ଥିବାବେଳେ କେଉଁ ପରିସ୍ଥିତିରେ ଗୋଟିଏ ବେସରକାରୀ କାଗଜ କଳର କର୍ମଚାରୀଙ୍କୁ ଟୀକା ମିଳିବା ସମ୍ଭବପର ହେଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କୋଭିଡ୍ ଭ୍ୟାକସିନର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏପରିକି ପ୍ରଶାସନ ଦ୍ଵାରା ପୂର୍ବ ନିର୍ଧାରିତ ତାଲିକା ମୁତାବକ କର୍ମଚାରୀ ପ୍ରଥମେ ନିଜ ମୋବାଇଲ ଫୋନରେ ଆଧାର କାର୍ଡ ନମ୍ବରକୁ ଯୋଡି ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି । ଫଳରେ କୋଭିଡ୍ ଭ୍ୟାକସିନ୍ ସେଣ୍ଟରରୁ ଟିକା ବାହାରିବା ପୂର୍ବରୁ ଟୀକା ଦାୟିତ୍ଵରେ ଥିବା ଅଧିକାରୀ ଉକ୍ତ ତାଲିକା ମୁତବକ କୋଭିଡ୍ ଭ୍ୟାକସିନ୍ ଟିକା ଯୋଗାଇଥାନ୍ତି ।
ତେବେ କେଉଁ ପରିସ୍ଥିତିରେ ଜେକେ କର୍ମଚାରୀ କୋଭିଡ ଟିକା ନେଲେ ତାକୁ ନେଇ ଉଠିଛି ତୁମ୍ବିତୋଫାନ । ଯାହାଙ୍କ କୋରୋନା ମୁକାବିଲାରେ କୌଣସି ଭୂମିକା ହିଁ ନାହିଁ ସେ ପୁଣି ନିଜ ପଦବୀକୁ ଜାଲିଆତି କରି ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନାଁରେ ପଞ୍ଜିକରଣ କରି କୋଭିଡ ଟିକା ନେଇ ହରଡ ଘଣାରେ ପଡିଛନ୍ତି ଜିଲ୍ଲା ପ୍ରଶାସନ ସାଙ୍ଗକୁ ଜେକେ କାଗଜ କାଳ କର୍ତ୍ତୃପକ୍ଷ ।
ସ୍ବାସ୍ଥ୍ୟ ବିଭାଗର ଅନୁକମ୍ପା ଯୋଗୁ ଜଣେ କି ଦୁଇ ଜଣ ନୁହେଁ ସରକାରଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରି ୨୦ରୁ ଉର୍ଦ୍ଧ୍ବ କାଗଜ କଳ କର୍ମଚାରୀ ଟିକା ନେଇଛନ୍ତି। ଏପରି ଜାଲିଆତି ହୋଇଛି ଜେକେପୁରସ୍ଥିତ ଡିସପେନସରୀର ଟିକାକରଣ କେନ୍ଦ୍ରରେ । ତେବେ ଏହି ଟିକା କିଏ ଏବଂ କାହା ନାଁରେ ନେଇଛନ୍ତି ସେନେଇ ଗୋଟିଏ ପଟେ ପ୍ରଶାସନ ଖୋଲତଡ କରୁଥିବା ବେଳେ ଆଜି ସ୍ଵଛାସେବୀ ଅନୁଷ୍ଠାନ ଯୁବ ବିକାଶ ପରିଷଦ ଏବଂ ଯୁବ କଂଗ୍ରେସ ପକ୍ଷରୁ ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି ।
ସୋମବାର ପୂର୍ବାହ୍ନ ରେ ସ୍ଵଛାସେବୀ ଅନୁଷ୍ଠାନ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସ ନିଜ ସମର୍ଥକଙ୍କ ସହିତ ଜେକେପୁର ସ୍ଥିତ ଚାନ୍ଦିଲି ଥାନାରେ ପହଞ୍ଚି ସରକାରଙ୍କ ନିୟମକୁ ଖିଲାଫ କରି ଜେକେ କାଗଜକଳ କର୍ତ୍ତୃପକ୍ଷ ଆସାଧୁ ଉପାୟରେ ଟିକା ହାତେଇଥିବା ଅଭିଯୋଗ କରିଛନ୍ତି ।
ଠିକ ସେହିଭଳି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭବାନୀ ଶଙ୍କର ଜେନା ମଧ୍ୟ ଅନୁରୂପ ଅଭିଯୋଗ କରି ଚାନ୍ଦିଲି ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ଜେକେ କାଗଜକଳ ଲୋକସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ ନିଜ ସଫେଇରେ କହିଛନ୍ତି ସବୁ ନିୟମ କାନୁନକୁ ମାନି ଆମେ ଟିକା ନେଇଛୁ । ସରକାରଙ୍କ କୌଣସି ନିୟମକୁ ଆମେ ଭଙ୍ଗ କରିନାହୁଁ ।
ଏଠାରେ ସୂଚନା ଯୋଗ୍ୟକି ପ୍ରଥମ ପର୍ଯ୍ୟାୟରେ କୋରୋନା ଯୋଦ୍ଧାଙ୍କୁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ କୋରୋନା ମୁକାବିଲାରେ ନିୟୋଜିତ ରାଜସ୍ବ, ଗୃହ ବିଭାଗ ଭଳି ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ ପାଇଁ ସରକାର ନିର୍ଦ୍ଦେଶ ରହିଛି । ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ନୀତି ଯୋଗୁ ହରଡ଼ ଘଣାରେ ପଡିଛି ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ।
କୋଭିଡ଼୍ ଯୋଦ୍ଧାଙ୍କ ବଦଳରେ ଗତକାଲି ଜେକେପୁର ଡିସପେନସରୀରେ ଅନ୍ୟ ଲୋକ ଟିକା ନେଉଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପ୍ରଶାସନ ହରଡ ଘଣାରେ ପଡିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ