ରାୟଗଡା: ଜିଲ୍ଲାରେ ଲକଡାଉନ୍ ଚାଲିଥିବା ବେଳେ ସୋମବାର କିଛି ବ୍ୟବସାୟୀ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏନେଇ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ରାୟଗଡା ତହସିଲଦାର ଉମାଶଙ୍କର ବେହେରାଙ୍କ ନେତୃତ୍ବରେ ପୋଲିସ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ଚଢାଉ ବେଳେ ସହରର ଗୁଣ୍ଡିଚା ମନ୍ଦିର ଛକ ନିକଟରେ ଥିବା କଂସାବାସନ ଦୋକାନ ଖୋଲା ହୋଇଛି । ଏହି ଚଢାଉ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନକୁ ସିଲ୍ କରିବା ସହ ଦୋକାନ ମାଲିକଙ୍କୁ ଅଟକ ରଖିଛି । ସେହିପରି ଜଗତଜନନୀ ନାମକ ଏକ ଫୋଟ ଷ୍ଟୁଡିଓ ଖୋଲା ହୋଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଚଢାଉ କରିଥିଲା ।
ଏହି ଦୁଇଟି ଦୋକାନକୁ ସିଲ୍ କରାଯିବ ପରେ ଦୁଇ ଜଣଙ୍କୁ ରାୟଗଡା ଟାଉନ୍ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ରାୟଗଡା ତହସିଲଦାରଙ୍କ ନେତୃତ୍ବରେ ଏହି ଟିମ୍ କପିଳାସ ଛକ, ଗଜପତି ଛକ, ଷ୍ଟେସନ୍ ଛକ ଆଦି ସ୍ଥାନରେ ଚଢାଉ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ