ରାୟଗଡା: ସ୍ଵାମୀର ଶାବଳ ମାଡରେ ସ୍ତ୍ରୀ ମୃତ । ପାରିବାରିକ କଳହକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ସ୍ଵାମୀର ଶାବଳ ମାଡରେ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ସ୍ଵାମୀ ରତନୁ ନିସିକାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ରାୟଗଡା ଥାନା ଅନ୍ତର୍ଗତ ଫୁଲଗୁଡା ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।
ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ନିଜ ଦ୍ଵିତୀୟ ସ୍ତ୍ରୀ ଚମ୍ପା ନିସିକା(25)କୁ ସ୍ଵାମୀ ଶାବଳରେ ଅତର୍କିତ ଆକ୍ରମଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ପାଇଛି । ଅଭିଯୁକ୍ତ ସ୍ଵାମୀ ରତନୁ ନିସିକା ପୂର୍ବରୁ ବିବାହ କରିଥିବା ବେଳେ କୌଣସି କାରଣରୁ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ । ପରେ ଚମ୍ପା ନିସିକାକୁ ବିବାହ କରିଥିଲେ । ତେବେ ସେମାନଙ୍କର ଏକ 8 ମାସର ଶିଶୁ କନ୍ୟା ଅଛି ।
ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହିଥିଲା । ମଙ୍ଗଳବାର ରାତିରେ ରତନୁ ମଦ୍ୟପାନ କରି ଘରକୁ ଫେରିଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରତନୁ ନିସିକା ରାଗି ଯାଇ ପାଖରେ ଥିବା ଏକ ଶାବଳରେ ଚମ୍ପାର ମୁଣ୍ଡ ଓ ବେକକୁ ବାରମ୍ବାର ପ୍ରହାର ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ହିଁ ଚମ୍ପା ଛଟପଟ ହୋଇ ମୃତ୍ୟୁବରଣ କରିଥିଲା ।
ଏହି ହତ୍ୟାକାଣ୍ଡ ଘଟିବା ପରେ କିଛି ସମୟ ପାଇଁ ଫଉଲଗୁଡା ଗ୍ରାମ ଜନଶୂନ୍ୟ ହୋଇପଡିଥିଲା । ପରେ କୌଣସି ସୂତ୍ରରୁ ଖବରପାଇ ରାୟଗଡା ଟାଉନ୍ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସଦଳବଳେ ଉକ୍ତ ଗ୍ରାମକୁ ଯାଇ ମୃତଦେହ ଉଦ୍ଧାର କରିଥିଲେ । ପରେ ଗାଁରେ ଖୋଜାଖୋଜି କରିବା ପରେ ପୁଲିସ ହାତରେ ଲାଗିଥିଲା ଅଭିଯୁକ୍ତ ସ୍ଵାମୀ ରତନୁ ନିସିକା ।
ପୋଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଅଧିକାଂଶ ସମୟରେ ମଦ୍ୟପାନ କରେ ଏବେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ମନୋମାଳିନ୍ୟ ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି । ତେବେ ଏଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ପୋଲିସ ଖୋଳତାଡ ଆରମ୍ଭ କରିଛି । ଗୁରୁବାର ପୋଲିସ ଉକ୍ତ ଗ୍ରାମକୁ ଯାଇ ମୃତ ଚମ୍ପାଙ୍କ ପରିବାର ଲୋକ ଓ ସାହିପଡିଶାଙ୍କ ବୟାନ ରେକର୍ଡ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ