ରାୟଗଡା: ଜଗନ୍ନାଥ ସଂସ୍କୃତିର ନିଆରା ନିତି ନିଆରା ପରମ୍ପରା । ଆଜି ପବିତ୍ର ହେରା ପଞ୍ଚମୀ ତିଥି ଅବସରରେ ଶ୍ରୀଜୀଉ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଯାହାକୁ ଦେଖିବାକୁ ଭୋର ୪ଟାରୁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା ।
ଗତକାଲି ଅଭିମାନୀ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ସହ ବଚସା କରିବା ପରେ ରଥ ଭାଙ୍ଗିଥିଲେ । ଲକ୍ଷ୍ମୀଙ୍କୁ ଛାଡ଼ି ଜଗନ୍ନାଥ ଘୋଷଯାତ୍ରାରେ ମାଉସୀଘରକୁ ଆସିବାରୁ ଅଭିମାନୀ ଲକ୍ଷ୍ମୀ ଆସିଥିଲେ ଜଗନ୍ନାଥଙ୍କ ସହିତ ବଚସା କରିବା ପାଇଁ । ଏଥିପାଇଁ ଗଉଡ଼ ସେବାୟତମାନେ ରାଜପୁରୋହିତ ବାଲୁଙ୍କେଶ୍ୱର ଦାସଙ୍କ ନେତୃତ୍ୱରେ ଏକ ବିମାନରେ ଲକ୍ଷ୍ମୀଙ୍କ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ନେବାବେଳେ ସେଠାରେ ଲକ୍ଷ୍ମୀ ଏବଂ ଜଗନ୍ନାଥଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ଅଭିମାନୀ ଲକ୍ଷ୍ମୀ ରାଗରେ ଫେରିବା ବାଟରେ ତିନି ରଥର ପ୍ରଦକ୍ଷଣ କରିବା ସହିତ ଜଗନ୍ନାଥଙ୍କ ମୁଖ୍ୟପୂଜକ ପ୍ରଭାକର ପଣ୍ଡାଙ୍କୁ ରଥରେ ବାନ୍ଧିବା ସହିତ ରଥକାଠ ଭାଙ୍ଗି ଶ୍ରୀମନ୍ଦିର ଫେରିଥିଲେ । ଏହି ଅଲୌକିକ ଲକ୍ଷ୍ମୀ ନାରାୟଣଙ୍କ କଳି ଦେଖିବା ପାଇଁ ରାତିରେ ଗୁଣ୍ଡିଚାରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା ।
ଆଉ ଆଜି ପବିତ୍ର ହେରାପଞ୍ଚମୀ ଅବସରରେ ଭକ୍ତଙ୍କ ଭିଡକୁ ଦେଖି ମନ୍ଦିର ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ମନ୍ଦିର ପରିସର ଏବଂ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ