କେନ୍ଦ୍ରାପଡ଼ା: ବିଶ୍ବ ଦରବାରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ପରିଚିତ କରାଇଛି ଭିତରକନିକା ଓ ଗହୀରମଥା । ଭିତରକନିକା କୁମ୍ଭୀର ପ୍ରଜନନ କେନ୍ଦ୍ର ଏବଂ ଗହୀରମଥା ହେଉଛି ଅଲିଭ ରିଡଲେ କଇଁଛମାନଙ୍କ ଏନ୍ତୁଡିଶାଳ। କେନ୍ଦ୍ର ସରକାର ଏବଂ ରାଜ୍ଯ ସରକାର କଇଁଛମାନଙ୍କ ସୁରକ୍ଷା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବାବେଳେ ଚଳିତବର୍ଷ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଶାସନପେଟା ଠାରେ ଗତ ୧୨ ତାରିଖ ଅନୁଷ୍ଠିତ ସଚେତନତା ଶିବିରରୁ ପଦାକୁ ଆସିଛି VHF ବ୍ୟବହାର ନେଇ ସାଂଘାତିକ ଅଭିଯୋଗ।
କ'ଣ ଥିଲା ଅଭିଯୋଗ?
ଆଲୋଚନା ବେଳେ ପଦାକୁ ଆସିଲା ସତ:
କଇଁଛ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ହୋଇଥିବା ବାକ ବିତଣ୍ଡା ତଥା ବନବିଭାଗ ଏବଂ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ହୋଇଥିବା ଏହି ଶୀତଳଯୁଦ୍ଧରୁ ଫିଟିଥିଲା ବଡ ଗୁମର । କେନ୍ଦ୍ରାପଡା ମହାକାଳପଡା ବ୍ଲକ ଶାସନପେଟା ରେଞ୍ଜ ଅଫିସର ନିକଟ ବିଭିନ୍ନ ଗ୍ରାମରେ ଥିବା ବୋଟ ମାଲିକ ଏବଂ ରେଞ୍ଜ ଅଫିସରେ ଠିକା ଶ୍ରମିକ ଭାବରେ କାର୍ଯ୍ଯ କରୁଥିବା କିଛି ବ୍ଯକ୍ତିମାନଙ୍କ ଘରେ ଲଗାଯାଉଛି ରେଡିଓ ୱେବ୍ ଟ୍ରାନସଫର୍ମର ବା ଭେରୀ ହାଇ ଫ୍ରିକୁଏନ୍ସି ( VHF )।
VHF କ'ଣ ?
ଏହି VHF ମଧ୍ଯରେ ସମୁଦ୍ରକୂଳ ଠାରୁ ୬୦ ନଟିକାଲ ମାଇଲ ବା ୧୧୧ କିଲୋମିଟର ଯାଏଁ ସହଜରେ ଖବର ପହଞ୍ଚି ପାରୁଛି । ସବୁଠାରୁ ବଡ଼ କଥା ହେଉଛି ଗୋଟିଏ VHF ମାଧ୍ୟମରେ ୫୦ଟି ବୋଟ ସହିତ ଯୋଗାଯୋଗ କରାଯାଇପାରିବ । ଫଳରେ ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ମାରୁଥିବା ବୋଟ ଗୁଡିକର ଡ୍ରାଇଭମାନଙ୍କ ପାଖରେ ଶାସନପେଟା ରେଞ୍ଜ ଅଫିସର ପେଟ୍ରୋଲିଂ ଗତିବିଧି ଖବର ସହଜରେ ପହଞ୍ଚି ପାରୁଛି । ଫଳରେ ମାଛ ଧରିବାକୁ ଯାଇଥିବା ବେଆଇନ ବୋଟ୍ ଗୁଡିକ ସହଜରେ ନିଷିଦ୍ଧାଞ୍ଚଳରେ ପଶି ମାଛ ଧରି ପୁଣି ଫେରିଯାଉଛନ୍ତି । ଯାହାକୁ ନେଇ ଅଲିଭ ରିଡଲେ କଇଁଛମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଧୀରେ ଧୀରେ ଅଲିଭ ରିଡଲେ କଇଁଛମାନଙ୍କର ଆସିବା ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଘରେ VHF ଲଗାଇ VHF ମାଧ୍ୟମରେ ମୋଟା ଅଙ୍କର ରୋଜଗାର ହେଉଥିବା ମଧ୍ଯ ଶୁଣିବା ପାଇଁ ମିଳୁଛି। ଅନ୍ୟପଟେ ଏହି VHF ମାଧ୍ୟମରେ ଆମ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ବାହାର ଦେଶକୁ ଯାଉନଥିବ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଯେଉଁ ଘରମାନଙ୍କରେ ଏହି VHF ଲଗାଯାଇଛି ସେମାନଙ୍କୁ VHF ଲଗାଇବା ପାଇଁ ଅନୁମତି କିଏ ଦେଲା? ଲାଞ୍ଜୁଡା ପଞ୍ଚାୟତର ଯେଉଁ ଯେଉଁ ସ୍ଥାନରେ VHF ଲଗାଯାଇଛି ତାର ଖବର ଜିଲ୍ଲା ପ୍ରଶାସନ ପାଖରେ ରହିଛି ନା ନାହିଁ ସେନେଇ ଉଠିଛି ପ୍ରଶ୍ନ । ପରିବେଶବିତ୍ ବିରଞ୍ଚି ନାରାୟଣ ଦାସ କହିଛନ୍ତି, "ମେରାଇନ ଥାନା କରାଗଲା । ହେଲେ ବୋଟ୍ ଚାଲୁନି । ତେଲ ନାହିଁ କି ଡ୍ରାଇଭର ନାହାନ୍ତି ।"
କାର୍ଯ୍ୟାନୁଷ୍ଠାନ ଦାବି:
ବୁଦ୍ଧିଜୀବୀ ବିଦୁଭୂଷଣ ମହାପାତ୍ର କହିଛନ୍ତି, "ଶାସନପେଟା ରେଞ୍ଜ ଅଫିସ ଏବଂ ସାମୁଦ୍ରିକ ଥାନା ତନ୍ତିଆପାଳ ଆଖପାଖରେ ଦୀର୍ଘ ଦିନ ହେବ VHF ଲଗାଯାଇଛି । ଯାହାକୁ ନେଇ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କାରଣ ମହାକାଳପଡା ଅଞ୍ଚଳରେ ବାଂଲାଦେଶ ଶରଣାର୍ଥୀମାନେ ବସବାସ କରୁଛନ୍ତି । ଶରଣାର୍ଥୀମାନେ ବାଂଲାଦେଶରେ ଥିବା ସେମାନଙ୍କର ସମ୍ପର୍କୀୟମାନଙ୍କ ସହିତ VHF ମାଧ୍ୟମରେ କଥାବାର୍ତ୍ତା ହେଉନଥିବେ କାହିଁକି ?" ସେପଟେ ଏ ସମ୍ପର୍କରେ ଶାସନପେଟା ରେଞ୍ଜ ଅଫିସର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାକୁ ସରକାର ଗୁରୁତର ସହିତ ନେଇ ଏହାର ପ୍ରକୃତ ସତ୍ଯାସତ୍ଯ ବାହାର କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ରାଜନଗର ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, "ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠନ ନିଆଯିବ । ବର୍ତ୍ତମାନ ଆମେ ଅଧିକ ତଥ୍ୟ ଦେଇପାରିବୁ ନାହିଁ ।"
ଇଟିଭି ଭାରତ, କେନ୍ଦ୍ରାପଡା