ରାୟଗଡା:ଜୀବନକୁ ବାଜି ଲଗାଇ ବଢି ପାଣିକୁ ଡେଇଁ ଯୁବକ ବଞ୍ଚାଇଲେ ଛେଳି ଛୁଆର ଜୀବନ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ବେଲକଣା ଗ୍ରାମରେ । ତେବେ ଯୁବକ ଜଣକ ହେଲେ ବେଲକଣା ଗ୍ରାମରେ ପ୍ରତୀକ ସାହୁ ।
ସୂଚନା ଅନୁସାରେ,ଲଗାଣ ବର୍ଷାରେ ବଢି ପାଣିରେ ଉବୁଟୁବୁ ନାଗାବଳୀ ନଦୀ । ଟିକିଏ ଅସାବଧାନତା ହେଲେ ଜୀବନ ଚାଲିଯିବ । ହେଲେ ନିଜ ଜୀବନକୁ ବାଜି ଲଗେଇ ନାଗାବଳି ନଦୀର ବଢି ପାଣିକୁ ଡେଇଁ ଛେଳି ଛୁଆର ଜୀବନ ବଞ୍ଚାଇ ପ୍ରଶଂସା ସାଉଣ୍ଟିଛନ୍ତି ଏହି ଯୁବକ । ତେବେ ବେଲକଣା ଗ୍ରାମର କିଛି ଯୁବକ 14 ଟି ଛେଳିକୁ ଚରେଇବା ପାଇଁ ନଦୀ ଆର ପାରିକୁ ଯାଇଥିଲେ। ଛେଳି ଚରେଇ ସନ୍ଧ୍ୟାରେ ଫେରିବା ବେଳେ ମଝି ନଈରେ ହଠାତ ଉପର ମୁଣ୍ଡରୁ ମାଡ଼ି ଆସିଲା ନାଗାବଳୀ ନଦୀର ବଢି ପାଣି । ଆଖି ଆଗରେ ଗୋଟିଏ ପରେ ଗୋଟିଏ ଛେଳି ଭାସି ଯିବା ଦେଖି ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁ ପଡିଥିଲେ ପ୍ରତୀକ ସାହୁ । ପରେ ଗୋଟି ଗୋଟି କରି 9ଟି ଛେଳିକୁ ଉଦ୍ଧାର କରିବାରେ ପ୍ରତୀକ ସଫଳ ହୋଇଥିବା ବେଳେ 5 ଟି ଛେଳି ନାଗାବଳୀରେ ଭାସିଯାଇ ନିଖୋଜ ହୋଇଥିବା ନେଇ ଜଣାପଡିଛି । ଏନେଇ ପ୍ରତୀକ ସାହୁଙ୍କ ଦୁଃସାହସ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି ।
ଇଟିଭି ଭାରତ, ରାୟଗଡା