ରାୟଗଡା: ଗାଁ ଗାଁରେ ବ୍ୟାପୁଛି ଜ୍ବର । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଅଜଣା ଜ୍ୱର ଆତଙ୍କ ସୃଷ୍ଟି ହୋଇଛି । ଶତାଧିକ ଲୋକେ ଏଥିରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଗାଁରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଥଣ୍ଡା ଜନିତ ଲକ୍ଷଣ ଦେଖାଦେଇଥିବା ଏହି ଜ୍ୱରରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।
କାଶୀପୁର ବ୍ଲକର ଅଡାଝର, ସୁଙ୍ଗେର ଓ ସିନ୍ଦୂରଘାଟି ଆଦି ତିନୋଟି ପଞ୍ଚାୟତର ଜୋଡାଆମ୍ବ, ପୁଡାପଦର, କଣ୍ଟାମାଳ ଓ ସିନ୍ଦିରିଘାଟି ଗାଁରେ ଜ୍ୱରରେ ଶତାଧିକ ବ୍ୟକ୍ତି ପୀଡିତ ହୋଇଛନ୍ତି । ମେଡିକାଲ ଟିମ୍ ଏହିସବୁ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ କରିଛି । ୬୨ ଜଣ ଗ୍ରାମବାସୀଙ୍କ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏଥିମଧ୍ୟରୁ ୧୦ ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ଥିବା ଜଣାପଡିଛି । ମଙ୍ଗଳବାର ନିଜେ ରାୟଗଡା ସିଡିଏମଓ ଡ. ଆର୍ତ୍ତବନ୍ଧୁ ନାୟକ ଉକ୍ତ ଗାଁଗୁଡିକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ