ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଭାରସିଙ୍ଗରେ ଚଳପ୍ରଚଳନ କରୁଛନ୍ତି ୬ଟିକିଆ ହାତୀପଲ । ଏହି ଖବର ପ୍ରଚାର ହେବାପରେ ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି (Elephant ruckus) । ଏନେଇ ଆଜି ଦିନ ତମାମ ସ୍ଥାନୀୟ ବନବିଭାଗ ଅଧିକାରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍ ଏହି ହାତୀପଲର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଏହି ହାତୀପଲ ସହର ନିକଟସ୍ଥ ବାଗସଲ ପଞ୍ଚାୟତ ଭାରସିଙ୍ଗ ଗ୍ରାମ ନିକଟରେ ରହିଛନ୍ତି । ବର୍ତ୍ତମାନ ଚାଷ ଜମିଗୁଡ଼ିକରେ ଧାନ ଫସଲ ହୋଇସାରିଥିବା ବେଳେ କାଜୁ ତୋଟା, ଆଖୁ ବାଡ ବେଉଷଣ କାର୍ଯ୍ୟ ସରିଛି । ତେବେ ହାତୀପଲ ଏବେ କିଛି ସ୍ଥାନରେ ଫସଲ ନଷ୍ଟ କରିଥିବାରୁ ନିଜ ଧାନକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।
ଯଦି ହାତୀପଲ ସହର ଭିତରକୁ ପଶି ଆସନ୍ତି ତାହାଲେ ସବୁକିଛି ନଷ୍ଟ କରିଦେବେ । ଏନେଇ ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି (Elephant ruckus in Rayagada)। ତେବେ ପ୍ରାୟ ୧ବର୍ଷ ହେଲା ଏହି ହାତୀପଲ ଗୁଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳପ୍ରଚଳନ କରିବା ସହିତ ଫସଲ ଓ ଘର ନଷ୍ଟ କରୁଛନ୍ତି(Elephant terror in Gunupur Bharsing) । ହାତୀଗୁଡ଼ିକୁ ଘଉଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ହାତୀପଲକୁ ଘଉଡ଼ାଇବା ପାଇଁ କେବଳ ବନବିଭାଗକୁ ନାକେଦମ ହେବାକୁ ପଡ଼ୁଛି । ବର୍ଷତମାମ ବନବିଭାଗ କର୍ମଚାରୀ ଲୋକଙ୍କ ସୁରକ୍ଷା ନିମନ୍ତେ ହାତୀପଲକୁ ଜଗି ରହୁଥିବା ଦେଖିବାକୁ ମିଳୁଛି । ଏହି 6 ଟିକିଆ ହାତୀପଲ ଯେପରି କାହାରି କିଛି କ୍ଷତି ନକରନ୍ତି ସେଥିପାଇଁ ବନବିଭାଗ କର୍ମଚାରୀ ସଜାଗ ରହିଛନ୍ତି ।
ବାଣ ଫୁଟାଇ ହାତୀ ଗୁଡିକୁ ଘଉଡ଼ାଉଛନ୍ତି। ବନବିଭାଗ ପକ୍ଷରୁ ପହରା ଦିଆଯାଉଛି। ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି । ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ, ହରଡ଼ ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ।
ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ହାତୀର ଗାଁ ଭିତରୁ ପ୍ରବେଶ ନେଇ ବନବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହଉ ସେଥିପ୍ରତି ସଜାଗ ରହିଛି ବନବିଭାଗ । ବାରମ୍ବାର ଡାକବାଜି ଯନ୍ତ୍ରରେ ଗ୍ରାମବାସୀଙ୍କୁ ସତର୍କ କରାଉଛି ।
ଇଟିଭି ଭାରତ, ରାୟଗଡ଼ା