ରାୟଗଡା: ଜିଲ୍ଲାରେ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ଦାବି କଲେ ଯୁବ ବିକାଶ ପରିଷଦ । ଜିଲ୍ଲା ମାନ୍ୟତା ପାଇବାର 28 ବର୍ଷ ପରେ ମଧ୍ୟ ଜିଲ୍ଲାବାସୀ ଶତ ପ୍ରତିଶତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ରହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାକାର ଲୋକଙ୍କ ଆର୍ଥିକ ସ୍ବଚ୍ଛଳ ନୁହେଁ । ତେଣୁ ସାମାନ୍ୟ ଚିକିତ୍ସା ପାଇ ବାହାରକୁ ଯାଇନପାରି ଅନେକ ମୃତ୍ୟୁ କରୁଥିବା ଅଭିଯୋଗ କରିଛନ୍ତି ଏମାନେ । ତେଣୁ ଜିଲ୍ଲାରେ ହସ୍ପିଟାଲ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସରକାର ସାଧାରଣ ଜନତାଙ୍କ ମୌଳିକ ଅଧିକାର ପ୍ରତି ଗୁରୁତ୍ୱ ଦେଉଥିବାବେଳେ ରାୟଗଡା ଜିଲ୍ଲାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାହିଁକି ଅବହେଳା କରୁଛନ୍ତି ଏବଂ ସରକାରଙ୍କ ତରଫରୁ ଆଜି ଯାଏଁ ଜିଲ୍ଲାରେ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କାହିଁକି ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି ସଭାପତି ଯୁକ୍ତି ବାଢିଥିଲେ ।
ସେହିପରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଠାରେ ରୋଗ ନିରୂପଣ କରିବା ପାଇଁ ଯନ୍ତ୍ରପାତି ଥିଲେ ମଧ୍ୟ ଟେକ୍ସିସିଆନ ନଥିବାରୁ ସେ ସବୁ ଅଚଳ ହୋଇ ପଡିଛି । ଏଥିସହ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ବାଧ୍ୟ ହୋଇ ପଡୋଶୀ ଜିଲ୍ଲା ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି । ତେଣୁ ଯଥାଶୀଘ୍ର ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟ ହସ୍ପିଟାଲ ମାନ୍ୟତା ପ୍ରଦାନ କରି ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରିବା ସହ ଜିଲ୍ଲାରେ ଏକ ମେଡିକାଲ କଲେଜ ଘୋଷଣା ପାଇଁ ଦାବି କରିଛି ଯୁବ ବିକାଶ ପରିଷଦ ।
ଏପରିକି ଆଗାମୀ ୨୨ ତାରିଖ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ଅନଶନ ଧର୍ମଘଟ କରାଯିବ ବୋଲି ସୂଚନା ଦେଇଛନ୍ତି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ