ରାୟଗଡା: ଜିଲ୍ଲା ଅବକାରୀ ବିଭାଗ ନିରୀହ ଆଦିବାସୀ ଏବଂ ଦଳିତଙ୍କ ଉପରେ ଅନ୍ୟାୟ ଏବଂ ଉଦ୍ଦେଶ୍ୟମୂଳକ ଭାବେ ମଦବିକ୍ରି କେସରେ କୋର୍ଟ ଚାଲାଣ କରୁଥିବା ସହ ଦେଶୀବିହାରୀ ମଦ ବ୍ୟବସାୟୀଙ୍କ ଗୁଣ୍ଡା ସାଜିଥିବା ଅଭିଯୋଗ ହୋଇଛି । ଆଜି ଏଭଳି ଅଭିଯୋଗ କରି ରାୟଗଡା ବ୍ଲକ୍ ଅଞ୍ଚଳର ଗରିବ ଆଦିବାସୀ ଏବଂ ଦଳିତମାନେ ଅବକାରୀ କାର୍ଯ୍ୟାଳୟ ଘେରାଓ କରିବା ସହିତ ଅବକାରୀ କମିଶନର, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ବିଭାଗ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗରିବ ଆଦିବାସୀ ଏବଂ ଦଳିତଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଭାବେ କରାଯାଉଥିବା ମକଦ୍ଦମାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଏମାନେ । ଏମାନଙ୍କ ଅଭିଯୋଗ ହେଲା ଗରିବ ଆଦିବାସୀ, ଦଳିତ ସେମାନଙ୍କର ପରମ୍ପରା ଅନୁଯାୟୀ ବାହାଘର କିମ୍ବା ପୂଜା ପାଇଁ ଗଛିତ ରଖିଥିବା ମଦ ଜବତ କରି ମିଥ୍ୟା କେଶରେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି ବିଭାଗ । ଆଗାମୀ ଦିନରେ ଏଭଳି କଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବା ନେଇ ଗରିବ ଆଦିବାସୀ ଏବଂ ଦଳିତ ମଞ୍ଚ ଚେତାବନୀ ଦେଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ