ଭୁବନେଶ୍ବର/ରାୟଗଡ଼ା: ପ୍ରାୟ ୭ରୁ ୯ ଦିନ ପରେ ବି ରହସ୍ୟ ଘେରରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ସତ ପଦାକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ସେମାନଙ୍କୁ ପୋଡ଼ା ଯାଇଥିବା ସ୍ଥାନରେ ପହଞ୍ଚି ଆଜି ମଧ୍ୟ ଦରପୋଡ଼ା କାଠ, ହାଡ଼ ଓ ପାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସେମାନଙ୍କର ଜବତ ହୋଇଥିବା ଲାପଟପ ଓ ଫୋନରୁ ଅଧିକ ତଥ୍ୟ ପାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ ଇଣ୍ଟରପୋଲର ସହାୟତା ନେଇପାରେ ବୋଲି ଜଣାପଡ଼ିଛି ।
ଏଣ୍ଟ୍ରି ମାରିବ ଇଣ୍ଟରପୋଲ !
ସବୁଠାରୁ ବଡ଼କଥା ହେଲା ଦୁଇ ଋଷୀୟ ପର୍ଯ୍ୟଟକ କାହା କାହା ସହିତ ଫୋନରେ କଥା ହୋଇଥିଲେ କିମ୍ବା ଇମେଲ କରିଥିଲେ , ଓଡିଶା କିମ୍ବା ଓଡିଶା ବାହାରେ କାହା ସହ ଯୋଗାଯୋଗ ହୋଇଥିଲା ସେ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାପଡିଛି । ଇଣ୍ଟରପୋଲର ସହାୟତା ନେଲେ ଜଣାପଡିବ ଏହି ଦୁଇ ଋଷୀୟ ପର୍ଯ୍ୟଟକ କାହା ଯୋଗାଯୋଗରେ ଥିଲେ । ଅନ୍ତର୍ଜାତୀୟ ଲିଙ୍କ ନେଇ ଯେଉଁ ସନ୍ଦେହ କରାଯାଉଛି ତାର ମଧ୍ୟ ପର୍ଦ୍ଦାଫାଶ ହୋଇପାରିବ ବୋଲି କୁହାଯାଉଛି ।
ଡିଏନ୍ଏ ରିପୋର୍ଟରୁ ମିଳିପାରେ ଅଧିକ ତଥ୍ୟ
ଆଜି କ୍ରାଇମବ୍ରାଞ୍ଚର ୧୦ ଜଣିଆ ଟିମ ଦୁଇ ଋଷୀୟ ପର୍ଯ୍ୟଟକଙ୍କୁ ପୋଡାଯାଇଥିବା ସ୍ଥାନରୁ ଦରପୋଡା କାଠ, ହାଡ ଓ ପାଉଁଶ ସଂଗ୍ରହ କରିଛି । ଏଗୁଡ଼ିକର ଡିଏନ୍ଏ ଟେଷ୍ଟ ପାଇଁ ଆଜି ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି । ଏହି ରିପୋର୍ଟ ଆସିବା ପରେ କେଉଁ ପରିସ୍ଥିତିରେ ସେମାନଙ୍କ ମୃତଦେହକୁ ପୋଡାଗଲା, ମୃତଦେହରେ ବିଷକ୍ରିୟା ହୋଇଥିଲା ନା ନାହିଁ , ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଥିଲା କି ନାହିଁ ସେନେଇ ଅଧିକ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି ।
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଅନ୍ୟପଟେ ଆଜି ଉଭୟ ଋଷୀୟ ନାଗରୀକଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଉଭୟ ପାୱେଲ ଓ ଭ୍ଲାଦିମିରଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଫୁସଫୁସ ଓ ଯକୃତ କ୍ଷତିଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଛି । ପାୱେଲଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ମତ ଦେଇଛନ୍ତି ଡାକ୍ତର । ସେପଟେ ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି । ତେବେ ସବୁଦିଗକୁ ତର୍ଜମା କରି କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି । ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିସିପି ସରୋଜକାନ୍ତ ମୋହାନ୍ତୋ ।
ଏମିତି ଚାଲିଛି ତଦନ୍ତ
କ୍ରେମେସନ୍ ଗ୍ରାଉଣ୍ଡରୁ ମୃତ ବ୍ୟକ୍ତିଙ୍କ ପୋଡିଯାଇଥିବା ଅବଶିଷ୍ଟାଂଶକୁ ଫରେନସିକ୍ ପରୀକ୍ଷା ପାଇଁ ଜବତ କରାଯାଇଛି । ଏହାସହ ସେମାନେ ରହୁଥିବା ହୋଟେଲର ରୁମ୍ ନମ୍ବର ୩୧୯ ଏବଂ ୪୦୧ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ଆଉ କିଛି ତଥ୍ୟ ଟିମ୍ ହାତରେ ଲାଗିଥିବା ସୂଚନା ମିଳିଛି । ଏହାସହ ଡିସେମ୍ବର ୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅତିଥିମାନଙ୍କର ତାଲିକା, ସେମାନଙ୍କର ଅନୁରୂପ ଠିକଣା ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ଯାଞ୍ଚ କରାଯାଉଛି । ହୋଟେଲ କର୍ମଚାରୀଙ୍କ ତାଲିକା ମିଳିବା ସହ ଏବଂ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଟିମ ପଚରାଉଚରା ଜାରି ରଖିଛି । ଅନ୍ୟପଟେ ଅନୁବାଦକ ଏବଂ ଟୁରିଷ୍ଟ ଗାଇଡ୍ ଜିତେନ୍ଦ୍ର ସିଂହଙ୍କ ସାହାଯ୍ୟରେ ଋଷୀୟ ଦମ୍ପତି ସହିତ ହୋଇଥିବା ଜେରାର ଅଡିଓ-ଭିଡିଓ ରେକର୍ଡିଂ ସହିତ ସମାପ୍ତ ହୋଇଛି ।
ଗତ ୨୨ ତାରିଖ ଏବଂ ୨୪ ତାରିଖରେ ଏହି ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ ତରବରିଆ ଭାବେ ପୋଡିଦେବା ଦ୍ବାରା ହତ୍ୟା ଜନିତ ସନ୍ଦେହ ପ୍ରକାଶ ପାଇଥିଲା । ପୁରା ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଯଦିଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପୋଡାଗଲା, ଜଣଙ୍କର ଭିସେରା ରିପୋର୍ଟ କାହିଁକି ରଖାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଏବେ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେଇ ଜବତ ହୋଇଥିବା ଲାପଟପ ଏବଂ ମୋବାଇଲ ଫୋନକୁ ଯାଞ୍ଚ କଲେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର, ରାୟଗଡ଼ା, କଟକ