ରାୟଗଡ଼ା: କୋରୋନା ଯୁଦ୍ଧର ନୂଆ ଯୋଦ୍ଧା ସାଜିଛନ୍ତି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ । ସଂକ୍ରମଣ ରୋକିବାରେ ମାସ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ସ୍ପଷ୍ଟ ହେବା ପରେ ଲାଗି ପଡ଼ିଛନ୍ତି କାମରେ । ବଜାରରେ ମାସ୍କର ଅଭାବ ପରିଲକ୍ଷିତ ଯୋଗୁଁ ଆବଶ୍ୟକ ମାସ୍କ ଯୋଗାଇବାକୁ ପଣ କରିଛନ୍ତି ଏମାନେ । ମାତ୍ର ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ୫୩ ହଜାର ମାସ୍କ ତିଆରି ସରିଥିବା ବେଳେ ୧୭ ହଜାର ମାସ୍କ ମାଗଣାରେ ବଣ୍ଟନ କରିଛନ୍ତି ଜିଲ୍ଲାରେ କାର୍ଯ୍ୟରତ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ।
ମହାମାରୀ ଓ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ବଜାରରେ ମାସ୍କର ଅଭାବ ଦେଖିବା ପରେ ଗୁଣ୍ଡୁଚି ମୂଷା ଭଳି ବିପଦର ବନ୍ଧୁ ହୋଇ ସରକାରଙ୍କ ସହଯୋଗ କରିବା ଲାଗି ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ମହିଳା ଗୋଷ୍ଠୀ । ରାୟଗଡ଼ା ପୌର ପରିଷଦ, ସଦର ବ୍ଲକରେ ଦୁଇଟି ଗୋଷ୍ଠୀ ସମେତ ପିତା ମହଲ ଉତ୍ପାଦକ ଗୋଷ୍ଠୀ ବିଷମ କଟକର ୨ଟି ଗୋଷ୍ଠୀ, ରାମନାଗୁଡାର ୩ଟି ଗୋଷ୍ଠୀ, ପଦ୍ମପୁରର ୧୦ଟି ଗୋଷ୍ଠୀ ଲାଗିଛନ୍ତି ମାସ୍କ ତିଆରିରେ ।
ରାୟଗଡ଼ା ସହରର ୨ଟି ଗୋଷ୍ଠୀ ବାଟ ମଙ୍ଗଳା ଓ ମା ମଙ୍ଗଳା ଦୈନିକ ୫ଶହରୁ ୧ ହଜାର ପର୍ଯ୍ୟନ୍ତ ମାସ୍କ ତିଆରି କରୁଥିବା ଗୋଷ୍ଠୀ ସଂଯୋଜିକା ଦେବସ୍ମିତା ପାଣିଗ୍ରାହୀ କହିଛନ୍ତି । ଖୁବକମ ଦରରେ ଉନ୍ନତମାନର ମାସ୍କ ମିଳୁଥିବା ଯୋଗୁଁ ଗୁଣପୁର ପୌର ପରିଷଦ ୨ ହଜାର ମାସ୍କ ନେଲାଣି । ସେହିପରି ଅନେକ ସଂଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମାସ୍କ ଯୋଗାଣ ପାଇଁ ବରାଦ ରହିଥିବା କହିଛନ୍ତି ଗୋଷ୍ଠୀର ସଭାପତି ମୀନାକ୍ଷି ପୃଷ୍ଟି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ