ରାୟଗଡା: ସହରର କସ୍ତୁରୀ ନଗରରେ ଏକ ନିର୍ମାଣଧିନ କୋଠାରେ ଜଣେ ରାଜମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ମିସ୍ତ୍ରୀ ଜଣକ ୩୬ ବର୍ଷୀୟ ଯୁବକ ଋଷିକେଶ ବେହେରା ବୋଲି ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଏଦୁପୁରମ ଗ୍ରାମରେ ତାଙ୍କ ଘର । ଆଜି(ଗୁରୁବାର) ସକାଳୁ ତାଙ୍କର ମୃତଦେହ କସ୍ତୁରୀ ନଗରରେ ନିର୍ମାଣଧିନ କୋଠାରୁ ଠାବ ହୋଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଋଷିକେଶ ଗତ କିଛିଦିନ ହେବ ନିଜ ଗାଁରୁ ସପରିବାର ଆସି ରାୟଗଡ଼ାରେ ରହି ଗୃହ ନିର୍ମାଣ ମିସ୍ତ୍ରୀ ଭାବେ କାମ କରୁଥିଲେ । ତାଙ୍କ ପରିବାରର ଅନ୍ୟ ସଦସ୍ୟ ଜେକେପୁରରେ ରୁହନ୍ତି । ପ୍ରତିଦିନ ଭଳି ଗତକାଲି ରାତିରେ ଖାଇବା ପରେ ଶୋଇବା ପାଇଁ କୋଠାକୁ ଯାଇଥିଲେ । ଗତକାଲି ରାତିରେ ଶୋଇବା ପରେ ଆଜି ସକାଳୁ ସେ ଆଉ ଫେରିନଥିଲେ । ସକାଳୁ ପ୍ରାୟ ୯ ଟା ସମୟରେ କୋଠା ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକମାନେ ପହଞ୍ଚିବା ବେଳେ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ଏହାକୁ ନେଇ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା । ଅନୁସନ୍ଧାନ ବେଳେ ଋଷିକେଶଙ୍କ ଶରୀରରେ ଗଭୀର କ୍ଷତ ଦେଖିବାକୁ ମିଳିଛି । କେଉଁ କାରଣରୁ ଋଷିକେଶଙ୍କୁ ହତ୍ୟା କରାଯାଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ଋଷିକେଶଙ୍କ ପତ୍ନୀଙ୍କୁ ପୋଲିସ ପଚରାଉଚରା କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ