ରାୟଗଡା: ପରସଜା ଗ୍ରାମରେ କଲଭର୍ଟ ଭୁଶୁଡିବା ଘଟଣା । 5 ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ଷତିପୂରଣ ପ୍ରଦାନ କରାଗଲା । ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଗାଁକୁ ଯାଇ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । 5 ମୃତକଙ୍କ ତିନୋଟି ପରିବାରକୁ 4 ଲକ୍ଷ ଲେଖାଏଁ ତିନୋଟି ଚେକ ପ୍ରଦାନ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଗିରଫ ଭୟରେ ଠିକାଦାର ଫେରାର ରହିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ ପରସଜା ଗାଁରେ ଲଗାଣ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ କଲଭର୍ଟର ସେଣ୍ଟ୍ରିଂ ଭୁସୁଡ଼ି ପଡିଥିଲା । ଏହି ସମୟରେ ଏହା ତଳେ ଗାଧୋଉଥିବା 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ 4 ଜଣ ଶିଶୁ ରହିଥିଲେ । ଏହି କଲଭର୍ଟଟି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ନୂତନ ଭାବେ ନିର୍ମାଣ ଚାଲିଥିଲା । ଏହି ଘଟଣାରେ ଅନିୟମିତା ଦର୍ଶାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ ।
ସେପଟେ ଏହି ରାସ୍ତା ନିର୍ମାଣ କରୁଥିବା ଠିକାଦାର ବି.ଜ୍ୟୋତିଙ୍କ ନାମରେ କଲ୍ୟାଣସିଂହପୁର ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ସରପଞ୍ଚ ଚୈତନ ଟିଆକା । ଗିରଫ ଭୟରେ ବର୍ତ୍ତମାନ୍ ଠିକାଦାର ବି.ଜ୍ୟୋତି ଫେରାର ଥିବା ଜଣାପଡିଛି । ତୁରନ୍ତ ଠିକାଦାରଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ୪୫ ନମ୍ବର ରାଜ୍ୟ ରାଜପଥରୁ ଉପରଶାଜା ଗାଁକୁ ସଡ଼କ ନିର୍ମାଣରେ ଦୁଇମାସ ହେଵ ଏକ କଲଭେଟର ସ୍ଲାପ୍ ପକେଇବା ନିମନ୍ତେ ଫଲ୍ସ ପକାଇ ଛାଡି ଦେଇଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ ପୋଲିସର ପ୍ରାଥମିକ ତଦନ୍ତ ପରେ ଠିକାଦାରଙ୍କୁ ଦାୟୀ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-କଲଭର୍ଟ ଭୁଶୁଡିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, 3 ଯନ୍ତ୍ରୀ ନିଲମ୍ବିତ
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ । ଗୁରୁବାର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଜିଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମୃତକଙ୍କ ପରିବାରକୁ ଭେଟି କ୍ଷତିପୂରଣ ପ୍ରଦାନ କରିଛନ୍ତି । ଏହି ସମୟରେ ଏସ ଡିପିଓ ଆର ସେନାପତି, ବିଡ଼ିଓ ସୁନିଲ ଖରା, ତହସିଲଦାର ସୁଧାକର ରଇତ, ଥାନା ଅଧିକାରୀ ସୁମନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡା