ରାୟଗଡ଼ା: ମାଟ୍ରିକ ପରୀକ୍ଷା ପିଛା ଛାଡୁନି ବିବାଦ । କାରଣ କେତେବେଳେ ଷ୍ଟ୍ରଙ୍ଗରୁମରୁ ପ୍ରଶ୍ନପତ୍ର ଲିକ୍ ହେଉଛି ତ ପୁଣି କେତେବେଳେ ଅସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମରୁ ସ୍କୁଲକୁ ମଟର ସାଇକେଲ ଯୋଗେ ବୁହା ହେଉଛି ପ୍ରଶ୍ନପତ୍ର । ଏଭଳି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି ।

ରାୟଗଡ଼ା ସହର ଉପକଣ୍ଠରେ ରହିଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ । ଚଳିତ ବର୍ଷ ଦଶମ ଶ୍ରେଣୀ ସିବିଏସଇର ପରୀକ୍ଷା ପାଇଁ ଏଠି ୩ଟି ବିଦ୍ୟାଳୟର ୧୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।ନିୟମ ମୁତାବକ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଅତ୍ୟନ୍ତ ସତର୍କ ଏବଂ ଯତ୍ନର ସହ ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗରୁମରୁ ସ୍କୁଲକୁ ନେବାର ନିର୍ଦ୍ଦେଶ ରହିଛି । କିନ୍ତୁ ଏହା ସତ୍ତ୍ବେ ଏହାର ଖୋଲା ଉଲ୍ଲଙ୍ଘନ ହୋଇଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ।
ସ୍ଥାନୀୟ ନ୍ୟୁ କୋଲୋନୀ ସ୍ଥିତ ସିଣ୍ଡିକେଟ ବ୍ୟାଙ୍କରୁ ଅତି ବେପାରୁଆ ଭାବେ ପ୍ରଶ୍ନପତ୍ର ବାଇକ ଡିକିରେ ରଖି ନିଜେ ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ତିନି ସହୋଯୋଗୀଙ୍କ ସହିତ ପରୀକ୍ଷା କେନ୍ଦ୍ରକୁ ଆଣିଥିଲେ । ଆଉ ଏଥିପାଇଁ ପୋଲିସକୁ ଦାୟୀ କରିଛନ୍ତି ଏକଲବ୍ୟ ବିଦ୍ୟାଳୟରେ ଅଧ୍ୟକ୍ଷ । ତେବେ ଏହା କେଉଁଭଳି ସ୍ଥିତିରେ ଘଟିଲା, ତାହାର ତଦନ୍ତ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି ଡଃ ଶର୍ବଣା ବିବେକ. ଏମ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ