ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ । ବୋତଲ ମାଡରେ ଆହତ ହେଲେ ଯୁବକ । ଦିନକୁ ଦିନ ବଢିଚାଲିଛି ଅପରାଧ ସାଙ୍ଗକୁ ହିଂସାକାଣ୍ଡ । ରାୟଗଡ଼ା ଜିଲ୍ଲାରେ ହତ୍ୟାକାଣ୍ଡ କ୍ରମଶଃ ବଢିଚାଲିଛି । ସହରରେ ରବିବାର ଜଣେ ଯୁବକକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ବେଳେ ସୋମବାର ପୁଣି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି ।
ଯୁବକଙ୍କ ପରିଚୟ ଫରେଷ୍ଟ କଲୋନିର ରଫିଆ ମିଣିଆକା ଭାବେ ଜଣାପଡିଛି । ରାୟଗଡା ସହରର ବିଚ ରାସ୍ତା ଉପରେ ଦିନ ଦ୍ବିପହରରେ ରଫିଆଙ୍କୁ ବିଅର ବୋତଲରେ ପେଟ ଓ ବେକରେ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ କରାଯାଇଛି ବୋଲି ଜଣାପଡିଛି ।
ପେଟରେ ଓ ବେକରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ରଫିଆ ଗୁରୁତର ଅବସ୍ଥାରେ ପ୍ରେସ କ୍ଲବ ନିକଟରେ ପଡିରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଉକ୍ତ ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ