ରାୟଗଡା: ପୁଣି ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ ଅନ୍ଧବିଶ୍ବାସ ସାମ୍ନାକୁ ଆସିଲା । ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଉଦ୍ୟମ । ବୁଧବାର ଏକ ଦମ୍ପତିଙ୍କୁ ଗୁଣିଆ ସନ୍ଦେହରେ ଆକ୍ରମଣ ଉଦ୍ୟମ କରାଯାଇଥିଲା । ଏହି ଦମ୍ପତି ହେଉଛନ୍ତି ମହେଶ୍ବର ହୁଇକା ଓ ତାଙ୍କ ପତ୍ନୀ ରାତ୍ନାଲୁ ହୁଇକା ।
ପ୍ରକାଶଥାଉକି, ଚାନ୍ଦିଲି ଥାନାର ମଲିଗାଁ ଗ୍ରାମର ମହେଶ୍ବର । ସେ ଗତ କିଛି ଦିନ ହେବ ବୁର୍ଲାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସେ ଗାଁରେ ଗୁଣି କରି ବୁର୍ଲା ଚାଲିଯାଇଥିବା ଅନ୍ୟ ଲୋକେ ସନ୍ଦେହ କରୁଥିଲେ । ଏପରିକି ଗାଁରେ ଜଣଙ୍କୁ ଜ୍ବର ଛାଡୁନଥିବାରୁ ସନ୍ଦେହ କରାଯାଇଥିଲା । ଅନ୍ୟଜଣେ ଗୁଣିଆ ମଧ୍ୟ ଏହାକୁ ଗୁଣି ବୋଲି କହିଥିଲେ । ଏହାକୁ କେନ୍ଦ୍ରକରି ବୁଧବାର ଅପରାହ୍ନରେ ଗାଁରେ ମହେଶ୍ବରଙ୍କ ସହ କିଛି ଯୁବକ ପାଟିତୁଣ୍ଡ କରିଥିଲେ । ମହେଶ୍ବର ଜଣେ ହୃଦରୋଗୀ ହୋଇଥିବାରୁ ତାଙ୍କ ଦେହ ଖରାପ ହୋଇଯାଇଥିଲା ।
ଗାଁର ପ୍ରାୟ 25ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ ଯୋଜନା କରୁଥିବା ଜଣାପଡିଥିଲା । ଏପରିକି ଏନେଇ ଗାଁରେ ବୈଠକ ମଧ୍ୟ ହୋଇଥିଲା । ଏହାପରେ ବୁଧବାର ଅପରାହ୍ନରେ ଘରେ ପଶି ପାଟିତୁଣ୍ଡ କରିବା ସହ ପତ୍ନୀ ରାତ୍ନାଲୁ ଓ ଝିଅଙ୍କୁ ଗାଳି ଗୁଲଜ କରିଥିଲେ । ତେବେ ବୁଧବାର ରାତିରେ ଆକ୍ରମଣ ଉଦ୍ୟମ ପୂର୍ବରୁ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ମହେଶ୍ବର ଓ ତାଙ୍କ ପତ୍ନୀଙ୍କୁ ନିଜ ସମ୍ପର୍କୀୟଙ୍କ ସହାୟତାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ତେବେ ଘଟଣା ସମ୍ପର୍କରେ ଏସଡିପିଓ କହିଛନ୍ତି ଯେ, ଆମକୁ କୌଣସି ଅଭିଯୋଗ ମିଳିନାହିଁ । ତଥାପି ସୂଚନା ପାଇବାପରେ ଗୋଟିଏ ପୁଲିସ ଟିମ୍ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଗ୍ରାମବାସୀଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ