ରାୟଗଡ଼ା: ମାଓବାଦୀଙ୍କ ଶହୀଦ ସପ୍ତାହକୁ ଦେଖି ପୁଲିସ୍ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡାକଡ଼ି କରାଯିବା ସହ ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ କଡା ନଜର ରଖିଛି । ଏସଓଜି-ସିଆରପିଏଫ୍-ବିଏସ୍ଏଫ୍ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ।
ରାୟଗଡ଼ା ଜିଲ୍ଲାକୁ ଲାଗିଥିବା କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଛି। ଗତ କିଛି ଦିନ ମଧ୍ୟରେ କନ୍ଧମାଳରେ ପୁଲିସ୍ ଏନକାଉଣ୍ଟରରେ ଏହି ସଂଗଠନର ୭ ମାଓବାଦୀ ନିହତ ହୋଇଥିବାରୁ ସହିଦ୍ ସପ୍ତାହରେ ମାଓବାଦୀ ନିଜ ସ୍ଥିତି ଜାହିର କରିବାପାଇଁ କିଛି ଅଘଟଣ ଘଟାଇବାକୁ ଯୋଜନାକରୁଥିବା ଗୁଇନ୍ଦା ସୂଚନା ପରେ ପୁଲିସ୍ ପକ୍ଷରୁ ରେଡ ଏଲର୍ଟ ଜାରି କରିଛନ୍ତି ।
ମାଓ ପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ ୫ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସ୍ଏଫ୍ ଯବାନ କୁମ୍ବିଂରେ ସାମିଲ୍ ହୋଇଛନ୍ତି। ବିଶେଷ କରି ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତୀକ୍ଷଣ୍ ଦୃଷ୍ଟି ରଖିଛି ପୁଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ପୁଲିସ୍ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି। ଏଥି ସହିତ ଆନ୍ତଃଜିଲ୍ଲା ସୀମାନ୍ତରେ ନାକା ଲଗାଇ ଯାଞ୍ଚକୁ କଡାକଡ଼ି କରିଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ