ରାୟଗଡା : ଜିଲ୍ଳାରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା । ଆଜି ରାଜ୍ୟରେ ସର୍ବାଧିକ ୭୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଣପୁର ବ୍ଲକର ବିଜୟପୁର ଗାଁରୁ ଆଜି 74 ଜଣ ଆକ୍ରାନ୍ତ ହେବା ପରେ ଏହି ଅଞ୍ଚଳ ହଟସ୍ପଟ ପାଲଟିଛି। ଏହି ଗାଁରେ ଜନୈକ ତାମିଲନାଡୁ ଫେରନ୍ତା ଦମ୍ପତିଙ୍କ ଠାରୁ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡିଛି ।
କୋଏମ୍ବାଟୁରୁ ଫେରିଥିବା ଏହି ଦମ୍ପତି ସୁପର ସ୍ପ୍ରେଡର ବୋଲି ଜଣାପଡିଛି । ପୂର୍ବରୁ ୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି 74 ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗାଁରେ ଏବେ ମୋଟ ୯୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାବ୍ୟତୀତ ରାୟଗଡା କସ୍ତୁରୀ ନଗର ଅଞ୍ଚଳରୁ ଜଣେ ଦିଲ୍ଲୀ ଫେରନ୍ତା ଯୁବକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଗୁଣପୁର ସହରରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ପରେ ରାୟଗଡା ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜୟପୁର ଗାଁକୁ ପୂର୍ବରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ କସ୍ତୁରୀନଗର ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ କରାଯାଇଛି କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ