ରାୟଗଡ଼ା: ଦୀର୍ଘ ଏକମାସ ଧରି କ୍ୱାରେନଣ୍ଟାଇନରେ ରହିଥିବା ପ୍ରବାସୀ ଶ୍ରମିକ ସୋମବାର ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଗତ ମାର୍ଚ୍ଚ ମାସ ୨୯ ତାରିଖରୁ ରାଜସ୍ଥାନ ରାଜ୍ୟର ସୁଦମଗଡ଼ର ୩୯ ଜଣ ଏବଂ ଛତିଶଗଡ଼ର ୧୦ ଜଣକୁ ରାୟଗଡ଼ା ଜିଲ୍ଲାର କେରେଡ଼ା ଗ୍ରାମରେ ଥିବା କ୍ୱାରେନଣ୍ଟାଇନ ହୋମରେ ରଖାଯାଇଥିଲା । ସୋମବାର ଜିଲ୍ଲା ପ୍ରଶାସନର ଉଦ୍ୟମରେ ଗୋଟିଏ ବସ ଏବଂ 2 ଟି ବୋଲେରୋ ଯୋଗେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଇଛି । ଉଭୟ ଗାଡ଼ିରେ ଫେରନ୍ତା ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।
ରାୟଗଡ଼ା ଜିଲ୍ଲା ପରିବହନ ଅଧିକାରୀ ଓ ଶେସଖାଲ ଥାନା ଅଧିକାରୀ ଲୋକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଦୀର୍ଘ ଦିନ ପରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାର ସୁଯୋଗ ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ