ପୁରୀ: ପୁଣି ଶ୍ରୀମନ୍ଦିରରେ ଅବ୍ୟବସ୍ଥାର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଆନନ୍ଦବଜାର ଟ୍ୟାପରୁ ବାହାରୁଛି ନାଲି ରଙ୍ଗର ଗୋଳିଆ ପାଣି । ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିବା ଟ୍ୟାପ୍ ମାନଙ୍କରୁ ନାଲି ରଙ୍ଗର ଗୋଳିଆ ପାଣି ଆସୁଛି । ଯାହାକୁ ଭକ୍ତମାନେ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସେବାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପରେ ଖୋଦ୍ ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ଓ ଅନ୍ୟଜଣେ ସେବାୟତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପ୍ ନିକଟକୁ ଯାଇ ଗୋଳିଆ ପାଣି ସଂଗ୍ରହ କରିଛନ୍ତି ।
କାର୍ତ୍ତିକ ମାସ ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଗମନ କରିଥାନ୍ତି । ତେବେ ଶ୍ରଦ୍ଧାଳୁଙ୍କ ସହ ହଜାର ହଜାର ହବିଷ୍ୟାଳି ମାଆ ମାନଙ୍କର ଭିଡ ଦେଖିବାକୁ ମିଳୁଛି । ଅନେକ ଭକ୍ତ ଶ୍ରୀମନ୍ଦିର ଭିତରକୁ ପାଣି ବୋତଲ ନେଇ ପିଉଥିବା ବେଳେ ଅନେକ ଭକ୍ତ ଆନନ୍ଦବଜାର ଭିତରେ ଲାଗିଥିବା ଟ୍ୟାପରୁ ପାଣି ପିଅନ୍ତି। ତେବେ ଏଭଳି ଗୋଳିଆ ପାଣି ପିଇ ଅନେକ ଭକ୍ତ ଅସୁସ୍ଥ ହେବାର ସମ୍ଭାବନା ରହିଛି।
ଏହାମଧ୍ୟ ପଢନ୍ତୁ..Kartik Month: ଆରମ୍ଭ ହେଲା ଧର୍ମମାସ, ଜାଣନ୍ତୁ କାର୍ତ୍ତିକବ୍ରତ ଓ ବାଳଧୂପର ମାହାତ୍ମ୍ୟ
ସେପଟେ ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଗୋଳିଆ ପାଣି ଦେଖିବାକୁ ମିଳିଛି ବୋଲି ବରିଷ୍ଠ ସେବାୟତ ମାନେ ଅଭିଯୋଗ କରିଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। କେବଳ ସେତିକି ନୁହେଁ ପୁର୍ବରୁ ପାଣି ଟାଙ୍କିରେ ମାଙ୍କଡ, ପାରା ଆଦି ମରି ପଡିଥିବା ନଜିର ରହିଛି । ସେହି ପାଣିକୁ ବି ଭକ୍ତ ପିଇଛନ୍ତି। ହେଲେ ପାନୀୟ ଜଳ ଥିବା ଟାଙ୍କୀ କିଭଳି ସୁରକ୍ଷିତ ରହିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେଉ ନଥିବା ସେବାୟତ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଅନେକ ଅଣ ସେବାୟତ ଆନନ୍ଦ ବଜାରରେ ନିଶା ସେବନ କରି ଭକ୍ତ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅନେକ ସମୟ ରେ ମାଡ ମରୁଛନ୍ତି । ହେଲେ ସବୁ ଜାଣି ଶୁଣି ଶ୍ରୀ ମନ୍ଦିର ପ୍ରଶାସନ ଚୁପ୍ ବସିବାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ଶ୍ରୀ ମନ୍ଦିରର ଦାୟିତ୍ଵ ନେବା ପାଇଁ କେହିନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି । କାର୍ତ୍ତିକ ମାସରେ ହଜାର ହଜାର ଭକ୍ତ ପ୍ରତିଦିନ ଶ୍ରୀ ମନ୍ଦୀର କୁ ଆସୁଥିବା ବେଳେ ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ କରିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସେବାୟତ।
ଇଟିିଭି ଭାରତ, ପୁରୀ