ପୁରୀ: ଶ୍ରୀମନ୍ଦିରରେ ରହିଛି ଅନେକ ପରମ୍ପରା । ଏହା ମଧ୍ୟରୁ ଶାଢ଼ିବନ୍ଧା ପରମ୍ପରା ଅନ୍ୟତମ । ବିଶେଷ କରି ବ୍ରାହ୍ମଣ ସେବକମାନେ ମହାପ୍ରଭୁଙ୍କ ନିକଟରେ ଶାଢ଼ି ବନ୍ଧେଇବା ପରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା । ଅନ୍ୟ କୌଣସି ମନ୍ଦିରରେ ଏହି ପରମ୍ପରା ଦେଖିବାକୁ ମିଳି ନଥାଏ । ତେବେ ଆଜି ମହାପ୍ରଭୁଙ୍କ ନିକଟରେ ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ନିଜର ଶାଢ଼ି ବନ୍ଧେଇଛନ୍ତି ।
ସେବକ କୂଳ ଜନ୍ମ ହୋଇଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସେବାୟତ ମହାପ୍ରଭୁଙ୍କ ନିକଟରେ ଶାଢ଼ି ନବନ୍ଧେଇଲେ ସେବା ପୂଜା ପାଇଁ ପାଳି ଖଟି ପାରିବେ ନାହିଁ । କେଉଁ ଆବାହାମାନ କାଳରୁ ଏହି ପରମ୍ପରା ପ୍ରଚ୍ଚଳିତ ହୋଇ ଆସିଛି । ଏହି କ୍ରମରେ ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜି ନିଜର ଶାଢ଼ି ବନ୍ଧେଇଛନ୍ତି । ଶ୍ରୀମନ୍ଦିରରେ ପଟ୍ଟଯୋଶୀ ମହାପାତ୍ର ଏହି ଶାଢ଼ି ବନ୍ଧେଇଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆଙ୍କୁ । ଆଜି ଠାରୁ ସେ ମହାପ୍ରଭୁଙ୍କ ସେବା ପାଇଁ ପାଳିଆ ସେବାୟତ ଭାବେ ପରିଗଣିତ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ଏହି ଶାଢ଼ିବନ୍ଧା ଉତ୍ସବରେ ସାମିଲ ହୋଇଥିଲେ । ପରେ ମହାପ୍ରଭୁଙ୍କ ଫୁଲ ଆଣି ଘରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥିଲା । ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ ଆଜି ଠାରୁ ମହାପ୍ରଭୁଙ୍କ ହଡ଼ପ ଓ ଗରାବଡୁ ସେବା କାର୍ଯ୍ୟ କରିବେ ।
ତେବେ ଶାଢ଼ି ବନ୍ଧେଇବା ପରେ ବେଶ୍ ଖୁସି ହୋଇଛନ୍ତି ଯୁବ ସେବାୟତ ରାଜ୍ ନାରାୟଣ ଖୁଣ୍ଟିଆ । ସେ ସେବକ କୂଳରେ ଜନ୍ମ ହୋଇ ବେଶ୍ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ସେବା ପାଇଁ ସେ ଏହି ଦିନକୁ ଅପେକ୍ଷା କରିଥଲେ ବୋଲି କହିଛନ୍ତି । ତେବେ ଶ୍ରୀମନ୍ଦିରରେ ଶାଢ଼ିବନ୍ଧା ସେବକ ଥିବାବେଳେ ଅଶାଢ଼ି ବନ୍ଧା ସେବକ ମଧ୍ୟ ରହିଛନ୍ତି । ତେବେ ବଡ କଥା ହେଉଛି, ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କେବଳ ଶାଢ଼ି ବନ୍ଧେଇଥିବା ସେବକ ହିଁ ଶ୍ରୀମନ୍ଦିର ନିଷିଦ୍ଧ ଅଞ୍ଚଳକୁ ଯାଇପାରିବେ । ମହାପ୍ରଭୁଙ୍କ ଭୋଗ ଲାଗିବା ସମୟ, ମହାସ୍ନାନ ସମୟରେ କେବଳ ଶାଢ଼ିବନ୍ଧା ସେବକ ମାନେ ପ୍ରବେଶ କରିପାରିବେ । ତେବେ ମହାନାୟକ ମାନଙ୍କୁ ଗଜପତି ମହାରାଜା ଶାଢ଼ି ବନ୍ଧେଇଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ଯେଭଳି ଅନନ୍ୟ, ପରମ୍ପରା ମଧ୍ୟ ସେତିକି ଭିନ୍ନ । ଯାହାକି ଅନ୍ୟ କୌଣସି ଦେବାଦେବୀ ମନ୍ଦିରରେ ଏହି ପରମ୍ପରା ନାହିଁ ।
ଇଟିଭି ଭାରତ, ପୁରୀ