ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଚକା ବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ଦଇତାପତି ଓ ସେବାୟତ । ଏ ପଟେ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।
ତିନିରଥକୁ ରଙ୍ଗତୂଳାରେ ଚିତ୍ରିତ କରାଯିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତିନିରଥର ରୂପକାର ସେବକମାନେ ରୂପ ଖୋଦେଇର ଶେଷ ସ୍ପର୍ଶ ଦେବାରେ ଲାଗିପଡିଛନ୍ତି । ସୋଲ ଓ ବତାରେ ମହାପ୍ରଭୁଙ୍କ ଟାହିଆ ପ୍ରସ୍ତୁତ ଚାଲିଛି । ସମୁଦାୟ 12ଟି ଟାହିଆ ପ୍ରସ୍ତୁତ ହୋଇଛି ।
ରାଜବୈଦ୍ୟମାନେ ଶାଳପୂର୍ଣ୍ଣ, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ବେହେରଣ ଦ୍ବାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ଓ ବିଦ୍ୟାପତି ମାନେ ଚକା ବିଜେ କରାଇ ଏହା ପରେ ଚକଟା ଓ ପଣା ଭୋଗ ଲାଗି କରାଯିବ । ଏଥିସହ ଆଜି ଦଶମୀ ମଳ ଅବସରରେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଆଜି ଶ୍ରୀମନ୍ଦିରକୁ ଯିବ ।
108 ଗରା ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ବଡଠାକୁରଙ୍କୁ ଜ୍ବରରୁ ଉପସନ ବଡ ଓଡିଆ ମଠରେ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହୋଇଥିଲା । ଏହା ପରେ ଶ୍ରୀଜୀଉଙ୍କ ଶରୀରରୁ ତାତି ଧିରେ ଧିରେ କମିଛି । ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳକ ଲାଗି କରାଯିବ ଗଜପତି ମହାରାଜଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳକ ପ୍ରସ୍ତୁତ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ