ପୁରୀ: ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ବିଶାଳ ଜଗତ ମଙ୍ଗଳ ଜାଗର ଦୀପ । ପ୍ରଭୁ ଲୋକନାଥଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଅବସରରେ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ଜ୍ବଳିତ ହୋଇଛି।
ପୁରୀର ପ୍ରସିଦ୍ଧ ପ୍ରଭୁ ଲୋକନାଥଙ୍କ ପୀଠରେ ରବିବାର ପଙ୍କୋଦ୍ଧାର ଏକାଦଶୀ ନୀତି ଆୟୋଜିତ ହୋଇଛି। ଶାନ୍ତି ଶୃଙ୍ଖଳାର ସହ କଟକଣା ମଧ୍ୟରେ ଶହଶହ ଶ୍ରଦ୍ଧାଳୁ ପ୍ରଭୁ ଲୋକନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ବିଶାଳ ଜଗତମଙ୍ଗଳ ଦୀପ ପ୍ରଜ୍ଜ୍ବଳନ କରାଯାଇଛି। ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ପାର୍ବତୀ ସାଗର ନିକଟରେ ପ୍ରମୁଖ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ଜଳିବ। ପ୍ରାୟ ଛଅଫୁଟ ଲମ୍ବ,4 ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢେଇ କ୍ବିଣ୍ଟାଲ ଘିଅ ଢଳାଯିବ।
ପବିତ୍ର ଶିବରାତ୍ରି ଦିନ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ଏହି ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦୀପର ଆୟୋଜକ ସମାଜସେବୀ ରାମକୃଷ୍ଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ୟାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ