ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଡବନ୍ଧକେରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମାମାଡ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଫଳରେ ପୋଲିସ ଠାରୁ ବଞ୍ଚିବା ପାଇଁ ପୁରୁଷଶୂନ୍ୟ ହୋଇ ପଡିଛି ଗାଁ । ଆଜକୁ ସାତ ଦିନ ଧରି ଗାଁରେ ପୋଲିସ ପଇଁନ୍ତରା ମାରୁଥିବାବେଳେ ଦୁଇ ଗୋଷ୍ଠୀର 2 ଜଣଙ୍କୁ ଗିରଫ କରିଛି । ତେବେ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଅନ୍ୟ ପଟରେ ମନ୍ଦିର ପରିସରରେ ରନ୍ଧା ଖାଦ୍ୟ ପଦାର୍ଥ ପଡିରହିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମାଙ୍କ ପୂଜାର୍ଚ୍ଚନା ମଧ୍ୟ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ଘଟଣା ଅନୁସାରେ ଗତ ମଙ୍ଗଳବାର ଦିନ ଠାକୁରାଣୀଙ୍କ ନିକଟରେ ଭୋଗ ରନ୍ଧାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମା ମାଡ ଘଟିଥିଲା । ଏପରି ଅପ୍ରୀତିକର ଘଟଣା ପରେ ମନ୍ଦିର ପରିସରରେ ଆଜକୁ 7 ଦିନ ହେଲା ଭୋଗ ପାଇଁ ଆସିଥିବା କଞ୍ଚା ମାଛ ପନିପରିବା ଏଣେ ତେଣେ ବିକ୍ଷିପ୍ତ ହୋଇ ପଡିରହିଛି । ସେଗୁଡିକ ପଚି ପୋକ ହେବା ସହ ଦୁର୍ଗନ୍ଧ ହେବା ଠାକୁରାଣୀଙ୍କ ପୀଠରେ ଉତ୍କଟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର କିଛି ବୃଦ୍ଧା ମାଙ୍କ ପରିବେଶକୁ ସଫା ସହିତ ନୀତିକାନ୍ତି କରାଇବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏପଟେ ମାଙ୍କ ପୂଜକ ପ୍ରତିଦିନ ଆସି ବନ୍ଦଥିବା ମନ୍ଦିର ଦୁଆର ମୁହଁରେ ଫୁଲ ଚନ୍ଦନ ଦେଇ ଫେରୁଛନ୍ତି । ଏହି ପରିବେଶକୁ ସଫା କରିବା ପାଇଁ ପ୍ରଶାସନ କିମ୍ବା ସ୍ବେଛାସେବୀ ମନ ବଳାଇଲେ ମାଙ୍କ ନୀତିକାନ୍ତି ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ