ପୁରୀ: ଜୁଲାଇ 13ରେ ଆରମ୍ଭ ହେବ ଏଏସଆଇଙ୍କ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏନେଇ ଆଜି(ଶନିବାର) ଏଏସଆଇ ସୁପେରିଟେଣ୍ଡଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ବରେ 5 ଜଣିଆ ଏଏସଆଇ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି (ଶୁକ୍ରବାର ଶ୍ରୀମନ୍ଦିର ବୈଷୟିକ କୋର କମିଟି ମଧ୍ୟ ଏନେଇ ଅନୁଧ୍ୟାନ କରିସାରିଛନ୍ତି । ତେବେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଂ କରାଯିବା ନେଇ ସୂଚନା ରହିଛି । ଏଥିସହ ସେ ସବୁର କରାଯିବ ଡକୁମେଣ୍ଟେସନ ।
ସେପଟେ ରଥଯାତ୍ରା ପରଦିନ ଠାରୁ ଆରମ୍ଭ ହେବ ରୁପା ଦ୍ବାର ଲଗାଇବା କାର୍ଯ୍ୟ । ଏନେଇ ତିନୋଟି ପ୍ରମୁଖ ଦ୍ବାର କଳାହାଟ, ବେହରଣ ଓ ଜୟ ବିଜୟ ଦ୍ବାର ସହ ଭଣ୍ଡାର ଦ୍ଵାରକୁ ରୁପା ଛାଉଣୀ କରାଯିବ । ସେଥିପାଇଁ ନିଳାଦ୍ରୀ ଭକ୍ତ ନିବାସରେ ବର୍ମାଟିକ କାଠରେ ଦ୍ବାର ନିର୍ମାଣ ଶେଷ ହୋଇଛି । ଅନ୍ୟପଟେ ଷ୍ଟିଲ ଫ୍ରେମରେ ରୁପା ଛାଉଣୀ କରାଯାଇ ଦ୍ବାର ଉପରେ ଲଗାଯିବ ।
ତେବେ କିଭଳି ଏହା କରାଯିବ ସେନେଇ ଏଏସଆଇ ବିଶେଷଜ୍ଞ ମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ । ବାହାର କାଠ ନିକଟରେ ଏକ ସ୍ବତନ୍ତ୍ର ଅସ୍ଥାୟୀ ଘର ନିର୍ମାଣ କରାଯାଇ ଶ୍ରୀବିଗ୍ରହଙ୍କ ସହ ରହୁଥିବା ମୂର୍ତ୍ତୀଙ୍କୁ ସିଂହାସନରୁ ଆଣି ପୂଜାର୍ଚ୍ଚନା କରାଯିବ । ପୁଣି ମହାପ୍ରଭୁ ନିଳାଦ୍ରୀ ବିଜେ ପରେ ରତ୍ନବେଦୀରେ ବିରାଜମାନ କରିବେ । ତେଣୁ, ଏହି ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରେ ଥିବାରୁ ଗର୍ଭଗୃହ ଯାଞ୍ଚ ସହ ରୁପାଦ୍ବାର ଲଗାଯିବ । ଏନେଇ ସେବାୟତଙ୍କ ପକ୍ଷରୁ ତଦାରଖ ପାଇଁ ଏକ ଟିମ୍ ଗଠନ ହୋଇଛି । ତେବେ ଗତକାଲି ମଧ୍ୟ 1.2 ଟନ ରୁପା ଆସି ପହଞ୍ଚିଥିବା ବେଳେ ସମୁଦାୟ 2 ଟନ ରୂପାର ଆବଶ୍ୟକ ରହିଛି । ତେଣୁ, ଏଏସଆଇର ସହଯୋଗରେ ଏସବୁ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ