ପୁରୀ: ଜିଲ୍ଲା ପିପିଲି ସରକାରୀ ଡାକ୍ତରଖାନାରେ ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ଅଚଳ ହୋଇପଡିଛି । ଯାହାର ପ୍ରତିବାଦରେ ଗଣ ଆନ୍ଦୋଳନ କରାଯାଉଛି। ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ, ମାନବାଧିକାର କର୍ମୀ ଆମରଣ ଅନଶନରେ ବସିଛନ୍ତି। ତୁରନ୍ତ ସରକାର ଓ ଜିଲ୍ଲା ପ୍ରଶାସନ 4 ଜଣ ଡାକ୍ତରଙ୍କ ନିଯୁକ୍ତି ସହ ରୋଗୀ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ପିପିଲି ମେଡିକାଲ ରେ ଥିବା 2 ଜଣ ଡାକ୍ତରଙ୍କ ସମେତ ଅନେକ କର୍ମଚାରୀ କୋଭିଡରେ ସଂକ୍ରମିତ ହେବା ପରେ ସ୍ବାସ୍ଥ୍ୟ ସେବା 2 ମାସ ହେବ ଅଚଳ ହୋଇ ପଡିଛି। ଫଳରେ ଅନେକ ଲୋକ ଘରୋଇ ଡାକ୍ତରଖାନା ସମେତ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଯାଇ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ଅନେକ ଗରିବ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ଏହି ଅସୁବିଧାର ପ୍ରତିକାର ପାଇଁ ପୁରୀ ଜିଲ୍ଲା ପ୍ରଶାସନ କୌଣସି ବ୍ୟବସ୍ଥା କରୁନାହିଁ।
ଯାହାକୁ ନେଇ ଏହାର ପ୍ରତିବାଦରେ ମାନବାଧିକାର କର୍ମୀ ଅନୁପ ପରିଡାଙ୍କ ନେତୃତ୍ବରେ ବିଭିନ୍ନ ରାଜନୈତିକ ଦଳ, ସମାଜସେବୀ, ସ୍ବେଚ୍ଛାସେବୀ ସଙ୍ଗଠନ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ପିପିଲି ମେଡିକାଲରେ 4 ଜଣ ଡାକ୍ତର ନିଯୁକ୍ତି, 24 ଘଣ୍ଟିଆ ରୋଗୀ ସେବା ଓ ନିରାମୟ କେନ୍ଦ୍ର ଖୋଲା ରହିବା ଦାବିରେ ଏହି ଆନ୍ଦୋଳନ ଚାଲୁ ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ