ଭୁବନେଶ୍ବର: ମାନବୀୟ ଲୀଳା କରିଥାନ୍ତି ଲୀଳାମୟ ମହାପ୍ରଭୁ । ଦାମ୍ପତ୍ୟଲୀଳାର ଅପୂର୍ବ ନିଦର୍ଶନ ବଡ ଦେଉଳ । ସେ ପରଂମବ୍ରହ୍ମ ହେଲେ ମଧ୍ୟ ପରିବାର ନିୟମରେ ବନ୍ଧା । ଗୃହର ହର୍ତ୍ତାକର୍ତ୍ତା ଗୃହିଣୀ । ହେଲେ ସ୍ତ୍ରୀକୁ ନକହି ଅନ୍ୟ ସ୍ଥାନକୁ ଗମନ କରିବା ଭଳି ଅକରଣୀୟ କର୍ମ କରନ୍ତି କାଳିଆ ଠାକୁର । ନବବଧୂ ସିନ୍ଧୁ ରାଜଜେମା, ବିଶ୍ବ ବ୍ରହ୍ମାଣ୍ଡର ଭଣ୍ଡାର ମାଲିକାଣୀ ଲକ୍ଷ୍ନୀ ସାଆନ୍ତାଣୀଙ୍କୁ ଏକାକୀ ଛାଡି ନ' ଦିନ ଯାଏଁ ନକହି ମାଉସୀ ମା' ମନ୍ଦିରକୁ ଯାଆନ୍ତି ସାଆନ୍ତେ । ଏକାକୀ ନୁହେଁ ଭଉଣୀ, ଭାଇଙ୍କ ସହ ମାଉସୀ ମା' ମନ୍ଦିରକୁ, ଶ୍ରୀମନ୍ଦିର ଛାଡି ପତ୍ନୀକୁ ଏକାକୀ କରି ଚାଲି ଯାଆନ୍ତି କାଳିଆ ଦିଅଁ । ଯେତେ ରୋଷ, ତୋଷ, ରାଗ, ଅନୁରାଗ, ଥିଲେ ବି ନବବିବାହିତା ପତିକୁ କେହି କେବେ କଣ ଛାଡି ଯାଇଥାଏ ।
ଏହାପରେ ବିରହରୂପ ଅଗ୍ନିରେ ପ୍ରଜ୍ବଳିତା, ସ୍ବାମୀର ଅନୁପସ୍ଥିତି ହେତୁ ଦୁଃଖଗ୍ରସ୍ତା, ବିଚ୍ଛେଦକାତରା ପତ୍ନୀ କଣ କରିଥାଏ । ଏହାର କାହାଣୀ ହେଉଛି 'ହେରା ପଞ୍ଚମୀ' । ଏହାକୁ ନେଇ ଏକ ସୁନ୍ଦର ଓଡିଆ ଗୀତ ରହିଛି ଆରେ କଟୁଆଳ ପୁଅ ଜଗିଥାରେ ନନ୍ଦିଘୋଷକୁ, ଲକ୍ଷ୍ନୀ ଆସୁଛନ୍ତି ରାଗି ଭାଙ୍ଗିବାକୁ ନନ୍ଦିଘୋଷକୁ... ।
ପରମ୍ପରା ଅନୁଯାୟୀ ପ୍ରଭୁ ଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ବରୁପା ରୁକୁଣ୍ମୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁର୍ଦଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୁଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଆନ୍ତି । ମାତା ଲକ୍ଷ୍ମୀଙ୍କ ସହ ଆଉ ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁ ସ୍ନାନ ପରେ ଜ୍ବରଗ୍ରସ୍ତ ହୋଇ ଆଣସର ଘରେ ରହିଥାନ୍ତି । ପରେ ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡ ଭଉଣୀ ଓ ବଳରାମଙ୍କ ସହ ଗୁଣ୍ଡିଚା ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି ।
ଆଷାଢ ଶୁକ୍ଲ ଦ୍ବିତୀୟାରେ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା କରିବା ପରେ ମା ପଦ୍ମାଳୟା ପ୍ରାଣାଧିକ ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ଏକ ଦୁର୍ବିସହ ଜୀବନଯାପନ କରିଥାନ୍ତି । କ୍ରମେ ଚାରି ଦିନ ବିତି ଯିବା ପରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ ନ ଫେରିବାରୁ ହରିପ୍ରିୟା, ମାତା କମଳା ଠାକୁରାଣୀ ଭଗ୍ନିକଳ୍ପା ବିମଳାଙ୍କୁ ସମସ୍ତ ଦୁଃଖ, ପ୍ରଭୁ ବିଚ୍ଛେଦ କଥା ଶୁଣାଇଥାନ୍ତି । ପରେ ବିମଳାଦେବୀଙ୍କ ପରାମର୍ଶକ୍ରମେ, ସେ ଶ୍ରୀଜଗନ୍ନାଥଙ୍କୁ ଦେଖିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଶ୍ରୀଜଗନ୍ନାଥଙ୍କୁ ବଶୀଭୂତ କରି ଫେରାଇ ଆଣିବା ନିମନ୍ତେ ଦେବୀ ବିମଳା ତାଙ୍କୁ 'ମୋହଚୂର୍ଣ୍ଣ' ବି ଦେଇଥାଆନ୍ତି । ଏହି ପରାମର୍ଶ ପାଇ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଶ୍ରୀଦେବୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାଲକ୍ଷ୍ମୀ ଆସୁଥିବାରୁ ସଜେଇ ହୋଇ ଅପେକ୍ଷାରେ ଥାଆନ୍ତି ମହାପ୍ରଭୁ । ଶ୍ରୀମୁଖ ଶୃଙ୍ଗାର କରି ଦାଉ ଦାଉ ହୋଇ ସୁନ୍ଦର ଓ ଶୋଭନୀୟ ଦିଶୁଥାଏ ।
ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ବାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି ।
ତାହାର ତୁରନ୍ତ ପ୍ରତିଫଳ ସ୍ବରୂପ, ପତି ମହାପାତ୍ରଙ୍କ ଦ୍ଵାରା ତାଙ୍କୁ ଆଜ୍ଞାମାଳ ପ୍ରଦାନ କରନ୍ତି ଶ୍ରୀଜଗନ୍ନାଥ ଏବଂ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ଯେ ତିନିଦିନ ପରେ ସେ ନିଶ୍ଚୟ ଫେରିବେ । କିନ୍ତୁ ସେହି ସମୟକୁ ସନ୍ଧ୍ୟାଧୂପର ସମୟ ହୋଇଯାଇ ଥିବାରୁ, ଦେବୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ। ସେଥିରେ ରୁଷ୍ଟ ହୋଇ ଦେବୀ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଆସନ୍ତି ।
କିନ୍ତୁ ଫେରିବାବେଳେ ସେ ହେରାଗୋହିରୀ ସାହି ବାଟରେ ଫେରନ୍ତି । ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହୋଇନାହିଁ ବୋଲି ଜଗଜ୍ଜନନୀଙ୍କର ହୃଦ୍ବୋଧ ହୋଇଥିବାରେ ସେ ଗୋଟିଏ ଅପରାଧୀ ଭଳି ନିଜକୁ ଭାବି, ହେରାଗୋହିରୀ ସାହି ବାଟଦେଇ, ଲୁଚିଲା ପରି, ବିନା ଘଣ୍ଟ, କାହାଳୀ, ବାଜାରେ ଶ୍ରୀମନ୍ଦିର ଫେରନ୍ତି ।
ମା , କ୍ଷୀରାବଧିତନୟାଙ୍କ ତନ୍ତ୍ର ବା ମୋହଚୂର୍ଣ୍ଣ ପ୍ରୟୋଗ ପରେ ମହାପ୍ରଭୁଙ୍କୁ ମାଉସୀ ମା' ମନ୍ଦିରରେ ରିହିବା ପାଇଁ ମନ ଧରି ନଥାଏ । ମହାପ୍ରଭୁ ତତ୍ପର ଦିନ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣା ମୋଡ଼ ପାଇଁ ଆଦେଶ ଦେଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ