ପୁରୀ: ମହାପ୍ରଭୁଙ୍କୁ ଦର୍ଶନ ବେଳେ ଭକ୍ତଙ୍କୁ ଟଙ୍କା ମାଗିବା ସହ ସେବାୟମାନେ ଗାଳିଗୁଲଜ କରିବା ଅଭିଯୋଗ । ଶ୍ରୀମନ୍ଦିରରେ ଭକ୍ତମାନେ କିଭଳି ସୁରୁଖୁରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଅନେକ ପଦକ୍ଷେପ ନେଉଥିବା ପ୍ରଚାର କରୁଛି । ହେଲେ ବାସ୍ତବରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ଏପରିକି ମହାପ୍ରଭୁଙ୍କୁ ଦର୍ଶନ ବେଳେ କିଛି ସେବାୟତ ଭକ୍ତମାନଙ୍କୁ ଟଙ୍କା ମାଗିବା ସହ ଯିଏ ମନା କରୁଛି ତାକୁ ଅସଭ୍ୟ ଭାଷା ଗାଳି ଗୁଲଜ କରୁଥିବା ନେଇ ଅଭିଯୋଗ କରିଛନ୍ତି ଭକ୍ତ ।
ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ପ୍ରଭାତୀ ପଟ୍ଟନାୟକ ନାମକ ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ମହାପ୍ରଭୁଙ୍କୁ ଦର୍ଶନ ପରେ ତୁଳସୀ ଦେବା ପାଇଁ ଉପସ୍ଥିତ ସେବକଙ୍କୁ ମାଗିଥିଲେ । ବାରମ୍ବାର ମାଗିବା ପରେ ବି ସେବାୟତ ତୁଳସୀ ଦେଇନଥିଲେ । ପରେ ସେ ତୁଳସୀ ପତ୍ର ଛିଡ଼ାଇ ଆଣିବାରୁ ଉପସ୍ଥିତ ଥିବା ଜଣେ ସେବକ ତାଙ୍କୁ ଅତି ଖରାପ ଭାଷାରେ ଗାଳି କରିଥିଲେ। ଏଥିସହ ଦୁର୍ବ୍ୟବହାର ମଧ୍ୟ କରିଥଲେ । ଯାହାକୁ ନେଇ ସେ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଜଣେ ଭକ୍ତକୁ କିଛି ଟଙ୍କା ପାଇଁ ଏଭଳି ଦୁର୍ବ୍ୟବହାର କେବେବି ଗ୍ରହଣୀୟ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ଏହା ଦ୍ବାରା ଭକ୍ତଟିଏ ଆଘାତ ପାଉଥିବାବେଳେ କିଛି ସେବାୟତଙ୍କ ଯୋଗୁ ଶ୍ରୀମନ୍ଦିର ବଦନାମ ହେଉଛି । ଏହି ଅସଭ୍ୟ ଆଚରଣ କରୁଥିବା ସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।
କେବଳ ସେତିକି ନୁହେଁ, ବେଆଇନ ଭାବେ କେତେକ ସେବାୟତ କିଛି ଝାଲର କନା ଭକ୍ତଙ୍କ ବେକରେ ଜୋର୍ ଜବରଦସ୍ତ ପକାଇ ହଜାର ହଜାର ଟଙ୍କା ଦକ୍ଷିଣା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଯିଏ ଟଙ୍କା ନ ଦେଲା ଦୁର୍ବ୍ୟବହାର କରାଯାଉଛି । ଶ୍ରୀମନ୍ଦିର ଭିତରେ ମାଳ ମାଳ ପୋଲିସ, ଜଗନ୍ନାଥ ମନ୍ଦିର ପୋଲିସ ଡ୍ୟୁଟିରେ ରହୁଛନ୍ତି । ତଥାପି ଝାଲର କନା ବେକରେ ପକାଇ ହଜାର ହଜାର ଟଙ୍କା ଭକ୍ତଙ୍କ ଠାରୁ କିଛି ଦିନ ହେବ ଆଦାୟ କରାଯାଉଥିବାବେଳେ ସମସ୍ତେ ଚୁପ୍ କାହିଁକି ? ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ମାନୁନି ଉତ୍ସବ ଆପ: ମହାପ୍ରଭୁଙ୍କ ନାଁରେ ଚାଲିଛି ଠକେଇ, ଅଭିଯୋଗ କଲେ ସେବାୟତ
ଶ୍ରୀମନ୍ଦିର ଅଧିକାରୀଙ୍କ ସମର୍ଥନ ଯୋଗୁ ଭକ୍ତଙ୍କୁ ଏଭଳି ଶୋଷଣ କରାଯାଉଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ମହାପ୍ରଭୁଙ୍କ ପାଖକୁ ଆସୁଥିବା ଭକ୍ତ ତିକ୍ତ ଅନୁଭୂତି ନେଇ ଫେରୁଥିବାବେଳେ ଶ୍ରୀମନ୍ଦିର ବଦନାମ ହେଉଛି । ସେପଟେ ଏହି ଅଭିଯୋଗ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ବେଆଇନ ଭାବେ ଝାଲର କନା ବିକ୍ରି ଠିକ ନୁହେଁ । ସେହିପରି ଭକ୍ତଙ୍କୁ ଦୁର୍ବ୍ୟବହାର ବି ଗ୍ରହଣୀୟ ନୁହେଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ।"
ଇଟିଭି ଭାରତ, ପୁରୀ