ପୁରୀ: ଏକ ପାରିବାରିକ ବିବାଦ ଅଭିଯୋଗରେ ପୁରୀରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୋଲିସ ଅଧିକାରୀ ଅଭିଯୁକ୍ତକୁ ଘରେ ପଶି ମାଡ଼ ମାରିବା ସହ ତାଙ୍କ ନାବାଳିକା ଝିଅକୁ ମାଡ଼ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ପୋଲିସ ବ୍ୟବହାରକୁ କଡା ସମାଲୋଚନା କରାଯିବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ।
ପୁରୀ ଏସପି କହିଛନ୍ତି ପୋଲିସ କୌଣସି ଖରାପ ବ୍ୟବହାର ଦେଖାଇନାହିଁ। ଉକ୍ତ ଅଭିଯୁକ୍ତକୁ ଆଣିବା ବେଳେ ତାଙ୍କ ନାବାଳିକା ଝିଅ ତାଙ୍କୁ ଛାଡିନଥିଲା । ପରେ ପୋଲିସ ସେଠାରୁ ପଳାଇ ଆସିଥିଲା । ପୂର୍ବରୁ ଅଭିଯୁକ୍ତକୁ ଫୋନ ଯୋଗେ ପୋଲିସ ଷ୍ଟେସନ ଆସିବା ପାଇଁ କୁହାଯାଇଥିଲା । ହେଲେ ସେ ଆସିନଥିଲେ । ତେବେ ଆଇନର ଯାହା ନିୟମ ରହିଛି ଆଗକୁ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।
ସୂଚନା ଅନୁଯାୟୀ ପୁରୀ ଟାଉନ ଥାନା ଅଧିନ ଚୁଡ଼ଙ୍ଗ ସାହିରେ ରୁହନ୍ତି ଶ୍ରୀଧର ସେନାପତି ଓ ତାଙ୍କ ଭାଇ ଗଦାଧର ସେନାପତି । ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ନେଇ ଶ୍ରୀଧରଙ୍କ ନାମରେ ତାଙ୍କ ବଡ଼ ଭାଇ ଗଦାଧର ସେନାପତି ପୁରୀ ଟାଉନ ଥାନାରେ ଏତଲା ଦେଇଥିଲେ। ଟାଉନ ଥାନାର ଏଏସଆଇ ଜିତେନ୍ଦ୍ର କୁମାର ଗୁମାନସିଂ ଅଭିଯୁକ୍ତ ଶ୍ରୀଧର ଘରକୁ ଯାଇ ତାଙ୍କ ଘରୁ ଜୋର ଜବର ଦସ୍ତ ଅଣୁଥିବା ବେଳେ ତାଙ୍କ ତାଙ୍କ ନାବାଳିକା ଝିଅ ବାପା ଶ୍ରୀଧରଙ୍କୁ ଛାଡିନଥିଲା। ଫଳରେ ଏଏସଆଇ ଜଣଙ୍କ ଉତକ୍ଷିପ୍ତ ହୋଇ ଶ୍ରୀଧର ଓ ତାଙ୍କ ନାବାଳିକା ଝିଅକୁ ଟଣା ଘୋଷରା ସହ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସାମାନ୍ୟ ପାରିବାରିକ ବିବାଦ ମାମଲାକୁ ନେଇ ଶ୍ରୀଧର ସେନାପତି ଙ୍କୁ ହାର୍ଡକୋର କ୍ରିମିନାଲ ଧରିବା ଭଳି ପୋଲିସର ବ୍ୟବହାର ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କାର୍ଯ୍ୟନୁଷ୍ଠାନ ନେବା ପାଇଁ ମତ ପ୍ରକାଶ ପାଇଥିଲା। ତେବେ ଖରାପ ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କୁ ପୁରୀ ଏସପି ଘଣ୍ଟ ଘୋଡାଇବା ଚର୍ଚ୍ଚାର ବିଷୟ ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ