ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି । ମଙ୍ଗଳବାର ଅପରାହ୍ନରେ ପ୍ରବଳ କାଳବୈଶାଖୀ ବର୍ଷାରେ ମୁଖ୍ୟ ଧ୍ବଜା ନଇଁ ପଡିବା ସହ ବାଉଁଶ ମଧ୍ୟ ନଇଁ ପଡିଥିଲା । କିନ୍ତୁ ଧ୍ବଜା ଅକ୍ଷୂର୍ଣ୍ଣ ରହିଛି, ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଛି । ତେବେ ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ବଜା ବା ନୀଳଚକ୍ର ବାନା ପରିବର୍ତ୍ତନ କରିବାପାଇଁ ଶ୍ରୀମନ୍ଦିର ଚୂଡାକୁ ଯାଇଥିଲେ ସେତେବେଳେ ଏହି ବିରଳ ଘଟଣା ସାମ୍ନାକୁ ଆସିଛି ।
ନୀଳଚକ୍ରରେ ଥିବା ବାନାଗୁଡିକ ପରସ୍ପର ମଧ୍ୟରେ ଗୁଡାଇ ହୋଇପଡିଛି, ଯାହାକୁ କହନ୍ତି ଶୂନ୍ୟ ଗଣ୍ଠି । ଏପରି ଘଟଣା ଅତ୍ୟନ୍ତ ବିରଳ ବୋଲି ସେବାୟତ କହିଛନ୍ତି । ପୂର୍ବରୁ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା । କିନ୍ତୁ ଯେବେଠାରୁ ୧୪ ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନଥିଲା । ଅନେକ ବର୍ଷ ପରେ ଏପରି ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି ।
ଶ୍ରୀମନ୍ଦିର ଚୂନରା ସେବକ ଡାକ୍ତର ଶରତ ମହାନ୍ତି କହିଛନ୍ତି ଯେ, ଏହି ଗଣ୍ଠି ଏପରି ପଡିଥାଏ ତାକୁ ଛୁରୀ କାଟିଲେ ମଧ୍ୟ ଏହା ଖୋଲେ ନାହିଁ । ଶୂନ୍ୟ ଶୂନ୍ୟରେ ଅନେକ ବାନା ଭିତରେ ଗୁଡାଇହୋଇ ଏହି ଗଣ୍ଠିପଡିଥାଏ । ଏହି ଶୂନ୍ୟଗଣ୍ଠି ଘରେ ରଖିଲେ ସବୁ ଅସୁବିଧା ଦୂର ହୋଇଥାଏ । ଘରର ମଙ୍ଗଳ ହୋଇଥାଏ । ଏହି ଶୂନ୍ୟଗଣ୍ଠିକୁ ପାଣିରେ ବୁଡାଇ ଟିକିଏ ପାନ କରାଇଦେଲ ଆସନ୍ନ ପ୍ରସବାମାନଙ୍କୁ ବେଦନାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏତେ ଦିନରେ ଏହି ଅନନ୍ୟ ଶୂନ୍ୟ ଗଣ୍ଠି ସେବା ସମୟରେ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ