ପୁରୀ: ଶ୍ରୀମନ୍ଦିର ଚାରିଦ୍ୱାରରେ ପୁରୀବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଦାବି । ଏନେଇ ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ପୁରୀ ସହରବାସୀଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ମହାପ୍ରଭୁଙ୍କୁ ପୁରୀବାସୀ ଦର୍ଶନ କରି ବିଭିନ୍ନ ଦୈନନ୍ଦିନ କାମ କାର୍ଯ୍ୟ ସହ ବିଭିନ୍ନ ଶୁଭ କାର୍ଯ୍ୟ କରିଥାନ୍ତି । ପୂର୍ବରୁ କଟକଣା ନଥିବା ବେଳେ ଶ୍ରୀମନ୍ଦିରର ଅନ୍ୟ ଦ୍ୱାର ଦେଇ ଖୁବ୍ କମ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ଆଣି ଫେରିବା ସହ ବିଭିନ୍ନ କାର୍ଯ୍ୟ କମ ସମୟରେ କରିପାରୁଥିଲେ ବୋଲି ସଂଗଠନ କହିଛି ।
ହେଲେ ସିଂହଦ୍ୱାରରେ କେବଳ ପ୍ରବେଶ ନିୟମ ଲାଗୁ ପରେ ପୁରୀବାସୀ ବାହାରୁ ଆସୁଥିବା ଭକ୍ତଙ୍କ ଭଳି ଗହଳିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଫଳରେ ପୁରୀବାସୀ ନିଜର ଦୈନିକ କାର୍ଯ୍ୟ କରିବାରେ ବହୁ ଅସୁବିଧା ସମ୍ମୁଖିନ ହେଉଛନ୍ତି । ଅନ୍ୟ ସ୍ଥାନରୁ ଭକ୍ତମାନେ ବର୍ଷରେ କେବେ କେବେ ଆସୁଥିବା ବେଳେ ସେମାନେ ଲାଇନରେ ରହି ଗଲେ ତାଙ୍କୁ କିଛି ଯାଏ ଆସେ ନାହିଁ । କିନ୍ତୁ, ପୁରୀ ସହରବାସୀ ନିଜ ଗାଁ ମନ୍ଦିରକୁ ଅନ୍ୟ ଭକ୍ତଙ୍କ ଭଳି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପ୍ରବେଶ କରିବା କେତେଦୂର ଠିକ ବୋଲି ଶ୍ରୀଜଗନ୍ନାଥ ସେନା କହିଛି। ବିନା ଭକ୍ତରେ ରଥଯାତ୍ରା ଅୟୋଜନ, ହେରିଟେଜ ସିଟି ଗଠନରେ ପୁରୀବାସୀ ଅନେକ ତ୍ୟାଗ କରିଥିବା ବେଳେ ତାହା ପ୍ରତିବଦଳରେ ପୁରୀବାସୀଙ୍କ ଧାର୍ମିକ ଅଧିକାର ଛଡାଇ ନେବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ଶ୍ରୀଜଗନ୍ନାଥ ସେନା ।
ସେହିପରି ଭକ୍ତ ମାନେ ପଞ୍ଚତୀର୍ଥ ଦର୍ଶନରେ ଆସୁଥିବା ବେଳେ ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟତମ ତୀର୍ଥ ରୋହିଣୀ କୁଣ୍ଡକୁ ନିଲାମ ନ ଦେବା ଆଳରେ ବନ୍ଦ କରି ରଖିବା ନେଇ ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କଡା ସମାଲୋଚନା କରିଛି। ସେହିପରି ରତ୍ନ ଭଣ୍ଡାର ଖୋଲିବାରେ ସରକାର ଓ ପ୍ରଶାସନର ଟାଳଟୁଳ ନୀତିକୁ ମଧ୍ୟ ଶ୍ରୀଜଗନ୍ନାଥ ସେନା ଦୃଢ଼ ନିନ୍ଦା କରିଛି। ତୁରନ୍ତ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି, ଶ୍ରୀମନ୍ଦିର ରୋହିଣୀ କୁଣ୍ଡ ଭକ୍ତଙ୍କ ପାଇଁ ଖୋଲିବା ଏବଂ ରତ୍ନ ଭଣ୍ଡାର ଖୋଲିବା ଦାବି ସରକାର ଶୀଘ୍ର ପୂରଣ ନକଲେ ଶ୍ରୀଜଗନ୍ନାଥ ସେନା ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ