ପୁରୀ: ଆସନ୍ତାକାଲି (ଶନିବାର) ଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ଏଥିପାଇଁ ଆସନ୍ତାକାଲି ଠାରୁ 21 ଦିନ ଯାଏ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୋଭିଡ କଟକଣା ଅନୁଯାୟୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ସମେତ ଶ୍ରୀମନ୍ଦିରରୁ ଠାକୁରଙ୍କ ଆସିବା ରାସ୍ତାରେ 144 ଧାରା ଜାରି ରହିବ । ପ୍ରତିଦିନ ଅର୍ଥାତ ଆସନ୍ତା 4 ତାରିଖ ଦିନ 3 ଟା ରୁ ରାତି 9 ଟା ଯାଏ 144 ଧାରା ଜାରି ରହିବ । ଏହି ସମୟରେ କେବଳ ପାସ୍ ଧାରୀ ସେବାୟତଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ରହିବ ।
କୌଣସି ବ୍ୟକ୍ତିଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ରହିବ ନାହିଁ । 144 ଧାରା ଲାଗୁ ସମୟରେ ଲୋକଙ୍କ ଯାତାୟତ ପାଇଁ ବିକଳ୍ପ ରାସ୍ତା ରହିବ । ତେବେ 250 ଜଣ ସେବାୟତଙ୍କ କୋଭିଡ ଟେଷ୍ଟ ସରିଛି । ସେଥିରୁ ମାତ୍ର 5 ଜଣ କୋଭିଡ ପଜିଟିଭ ଆସିଛନ୍ତି । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଚନ୍ଦନଯାତ୍ରାରେ ବହୁତ କମ ସେବାୟତ ଉପସ୍ଥିତ ରହିବେ । ସେହିପରି ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ଥିବା ଲୋକେ ତାଙ୍କ ଘର ଛାତ ଉପରେ ବାହାର ଲୋକଙ୍କୁ ଡାକି ଯାତ୍ରା ଦେଖାଇ ପାରିବେ ନାହିଁ । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ପାଇଁ ମହାପ୍ରଭୁଙ୍କ କେବଳ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏଣୁ ପୁରୀବାସୀ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ