ପୁରୀ: ଜଗନ୍ନାଥେ ହେ । କିଛି ମାଗୁନାହିଁ ତୋତେ । ଧନ ମାଗୁନାହିଁ । ଜନ ମାଗୁନାହିଁ । ମାଗୁଛି ଶରଧା ବାଲିରୁ ହାତେ । ଆଜି ବି ଭକ୍ତମାନେ ଅତି ଶ୍ରଦ୍ଧାରେ ଶରଧା ବାଲିରୁ ମୁଠାଏ ବାଲି ସାଉଁଟି ନେଇ ଯାଆନ୍ତି । ସେହି ଶରଧାବାଲିକୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏକ ମହତ୍ତ୍ବ ରହିଛି ।
ତେବେ ଶ୍ରୀମନ୍ଦିର ସେବକ ସିଦ୍ଧେଶ୍ବର ମହାପାତ୍ର ଶରଧାବାଲିର ଇତିହାସ ବର୍ଣ୍ଣନା କରି କହିଛନ୍ତି । ମାଦାଳ ପାଞ୍ଜି ଅନୁସାରେ 1230 ଖ୍ରୀଷ୍ଟାବ୍ଦରେ ବଡଦାଣ୍ଡ ପୂର୍ବରୁ ମାଳିନୀ ନଦୀର ଦୁଇ ପାର୍ଶରେ ରହିଥିଲା । ସେତେବେଳେ ରଥଯାତ୍ରା ବେଳେ ୬ଟି ରଥ ନିର୍ମାଣ ହେଉଥିଲା ।
ଗୋଟିଏ ପାର୍ଶ୍ବରେ ବଡଦେଉଳରୁ ନଦୀ କୂଳ ଯାଏଁ ଓ ପରେ ନଦୀ କୂଳର ଅନ୍ୟ ପାର୍ଶ୍ବରୁ ଗୁଣ୍ଡିଚା ମନ୍ଦିର ଯାଏଁ, ବାହୁଡା ଯାତ୍ରା ହେଉଥିଲା । ପରବର୍ତ୍ତୀ ସମୟରେ ସେହି ନଦୀକୁ ଗଙ୍ଗବଂଶ କାଳରେ ପୋତା ଦିଆଯାଇଥିଲା ।
ପୋତି ହୋଇ ପଡିଥିବା ସେହି ନଦୀର ମୁହାଣ ବର୍ତ୍ତମାନ ବାଙ୍କୀ ମୁହାଣ ବୋଲି ଅନୁମାନ କରାଯାଏ ।
କେହି କେହି କୁହନ୍ତି, ସେହି ନଦୀକୁ ପୋତା ହେବା ପରଠୁ ରାଜମାତାଙ୍କ ନାଁ ଅନୁସାରେ ଶରଧାବାଲି କୁହାଯାଏ । ଏହି ଗୁଣ୍ଡିଚା ମନ୍ଦିରୁ ବଡଦେଉଳଯାଏ ବଡଦାଣ୍ଡ ବୋଲି କୁହାଯାଏ ଏବଂ ଶରଧା ବାଲିର ସମତାରୁ ଅତୀତରେ ବଡଦେଉଳ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ରହିଥିଲା ଯାହା ଏବେ କାଳ କ୍ରମେ ୧୯୨ ଫୁଟ ଉଚ୍ଚତାରେ ରହିଛି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ