ପୁରୀ: ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୋମବାର ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିରରେ ହେଉଥିବା ବିଭିନ୍ନ ନୀତିକାନ୍ତି ସମେତ ବିଭିନ୍ନ ଧାର୍ମିକ କାର୍ଯ୍ୟର ପରାମର୍ଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନେବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଏହି ନିର୍ଦ୍ଦେଶକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସ୍ବାଗତ କରିଛନ୍ତି।
ଗୋବର୍ଦ୍ଧନ ପୀଠର ଲୋକ ସମ୍ପର୍କ ଅଧିକାରୀ ମନୋଜ ରଥ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ଏବେ ପୁରାଣ ବର୍ଣ୍ଣିତ ତଥ୍ୟକୁ ନେଇ ନୀତିକାନ୍ତି ହେଉ ନାହିଁ । କିଛି ସେବାୟତ ପୂର୍ବରୁ କରିଥିବା କିଛି ନିୟମକୁ ପ୍ରଥାକୁ ଅନୁସରଣ କରାଯାଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟଙ୍କ ଜନସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଏହା ଦ୍ବାରା ଦେଶ ଓ ରାଜ୍ୟର ବହୁତ କ୍ଷତି ହେବ।
ସେହିପରି ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ବକୁ ଅବହେଳା କରି ଆସିଛନ୍ତି ଯାହାକି ଦୁର୍ଭାଗ୍ୟଜନକ। ତେବେ ଶ୍ରୀମନ୍ଦିର ପରିଚଳନାରେ ଶଙ୍କରାଚାର୍ଯ୍ୟଙ୍କର କଣ ଭୂମିକା ରହିଛି ତାହା ସୁପ୍ରିମକୋର୍ଟ ପ୍ରକାଶ କରିଥିବାରୁ ଗୋବର୍ଦ୍ଧନ ପୀଠ ପକ୍ଷରୁ ସ୍ବାଗତ କରାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହୋଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା, ସେବା ପୂଜା, ନୀତିକାନ୍ତିରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆଗାମୀ ଦିନରେ ସରକାର ଓ ପ୍ରଶାସନ ନେବେ ବୋଲି ଶଙ୍କରାଚାର୍ଯ୍ୟଙ୍କ ଜନସମ୍ପର୍କ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।
ସେହିପରି ଆଗାମୀ ଦିନରେ କେତେକ ପ୍ରସ୍ତାବ ମଧ୍ୟ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଦିଆଯିବାର ସମ୍ଭାବନା ରହିଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ