ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି ସମ୍ବିତଙ୍କ ସହ ଯୋଡି ହୋଇ ଚାଲିଛି ନୂଆ ନୂଆ ବିବାଦ । ଆଉ ଆରମ୍ଭ ହେଉଛି ବିରୋଧୀଙ୍କ ଚର୍ଚ୍ଚା । ତେବେ ରବିବାର ପିପିଲି ବିଧାନସଭା ନିର୍ବାଚନୀ ମଣ୍ଡଳୀ ବୁଲିବାକୁ ଯାଇ ଜଣେ ବୟସ୍କା ମାଉସୀଙ୍କ ହାତରୁ ଚକୁଳି ପିଠା ଖାଇବା ସମ୍ବିତଙ୍କୁ ପଡିଛି ମହଙ୍ଗା । ଯାହାର ସତ୍ୟତା ଜାଣିବା ପାଇଁ ବୁଢୀ ମାଉସୀ ଉର୍ମିଳା ସିଂଙ୍କ ଘରେ ପହଞ୍ଚିଥିଲେ ଇଟିଭି ଭାରତ ଟିମ୍ ଏବଂ ପଚାରି ବୁଝିଥିଲେ ଘଟଣାର ସତ୍ୟତା । ଦେଖନ୍ତୁ ଉଜ୍ବଳା ଯୋଜନାର ସତ୍ୟତାକୁ ନେଇ ଇଟିଭି ଭାରତର ଏହି ଅନୁସନ୍ଧାନମୂଳକ ରିପୋର୍ଟ :
ସରକାରଙ୍କ ଉଜ୍ବଳା ଯୋଜନାରେ ପ୍ରତି ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା ଥିବାବେଳେ ସମ୍ବିତଙ୍କ ଭିଡିଓରେ କିନ୍ତୁ ଦେଖା ଦେଇଥିଲା କିଛି ଭିନ୍ନ ଦୃଶ୍ୟ । କାରଣ ଟ୍ବିଟରରେ ସମ୍ବିତ ପୋଷ୍ଟ କରିଥିବା ନିର୍ବାଚନୀ ପ୍ରଚାର ସମୟରେ ଗରିବ ପରିବାର ପାଖକୁ ଯାଇ ସେମାନଙ୍କ ସହ ଖାଇବା ଓ ଖୁଆଇବା ଭିଡିଓରେ ବୁଢୀ ମାଉସୀଙ୍କ ଘରେ ଚୁଲି ଜଳୁଥିବାର ଦେଖାଯାଇଥିଲା । ଯାହାକୁ ନେଇ ସମ୍ବିତଙ୍କ ଟ୍ବିଟରେ ବର୍ଷିଥିଲା ସାଧାରଣ ଜନତାଙ୍କ କଟାକ୍ଷ ।
ତେବେ ଘଟଣାଟି କେତେ ସତ ଓ କେତେ ମିଛ ଜାଣିବା ପାଇଁ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ଉର୍ମିଳା ସିଂଙ୍କ ଘରେ । ଯେଉଁଠାରେ ବିରୋଧୀଙ୍କ ଚର୍ଚ୍ଚା ସମ୍ପୂର୍ଣ୍ଣ ମିଛ ବୋଲି ପ୍ରକାଶ କରିଥିଲେ ଉକ୍ତ ମହିଳା ଜଣକ । ତାଙ୍କ କହିବା ଅନୁଯାୟୀ ‘‘ସେ ମଧ୍ୟ ସରକାରଙ୍କ ଉଜ୍ବଳା ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ଗ୍ୟାସ ସିଲିଣ୍ଡର ଓ ଘର ପାଇଛନ୍ତି । ହେଲେ ବ୍ୟବହାର ଶିଖି ନଥିବାରୁ ଗ୍ୟାସକୁ ପରିବାରର ଅନ୍ୟ ସଦସ୍ୟ ବ୍ୟବହାର କରୁଛନ୍ତି । ଏଥିରେ ସମ୍ବିତ କିମ୍ବା ସରକାରଙ୍କୁ କଟାକ୍ଷ କରିବାର କୌଣସି ଯଥାର୍ଥତା ନାହିଁ ।’’
ଅନ୍ୟପଟେ କୌଣସି ନିର୍ବାଚନୀ ଜୁମଲା ନୁହେଁ ବରଂ ଅତି ଆଦରରେ ଡାକିଥିବାରୁ ସମ୍ବିତ ଖୁସିରେ ଘରକୁ ଆସିଥିବା କହିଛନ୍ତି ଉର୍ମିଳା । ତେଣୁ ଏଥିରେ କୌଣସି ଲୋକ ଦେଖାଣିଆ ନୁହେଁ ବରଂ ସ୍ନେହ ଓ ଆଦର ରହିଥିବା ବିରୋଧୀମାନେ ମାନିନେବା ଭଲ ବୋଲି ସେ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
https://www.etvbharat.com/oriya/odisha/state/capital-city/bjp-spokes-person-sambit-patra-triggers-quories-on-ujwala-yojana-1-1/or20190401022038700