ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ବଲିଉଡର ଜଣାଶୁଣା ନିର୍ମାତା- ନିର୍ଦ୍ଦେଶିକା ଏକତା କପୁର । ନିକଟରେ ଏକତାଙ୍କ ପ୍ରଯୋଜନାରେ ପରଦାକୁ ଆସିଥିବା ଚଳଚିତ୍ର ‘ଦ ସାବରମତି ରିପୋର୍ଟ’କୁ ମୋହନ ସରକାର ଟାକ୍ସ ଫ୍ରୀ କରିଛନ୍ତି । ଆଜି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଏକତା ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟାକ୍ସ ଫ୍ରୀ ପାଇଁ ଧନ୍ୟବାଦ ଦେବା ସହ ‘ସାବରମତି ରିପୋର୍ଟ’ ମୁଭି ଦେଖିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଏକତାଙ୍କ ସହ ଫିଲ୍ମରେ ତାଙ୍କ ସହ-ପ୍ରଯୋଜକ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଥିଲେ ।
- ଲିଙ୍ଗରାଜଙ୍କ ଦର୍ଶନ କଲେ ଏକତା:-
ଏହା ପରେ ଏକତା ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡିଶା ଆସିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି କହିଥିଲେ । ଏକତା କହିଛନ୍ତି, ‘‘୧୨ ବର୍ଷ ତଳେ ଓଡ଼ିଶା ଆସିଥିଲି । ସେତେବେଳେ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲି । ଆଜି ବି ଦର୍ଶନ କରି ବହୁତ୍ ଖୁସି ଲାଗିଲା । ସାବରମତୀ ଫିଲ୍ମ ଉପରୁ ଟାକ୍ସ ଫ୍ରୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ୍ ଦେଲି । ମନ୍ଦିରମାଳିନୀ ସବୁଜମୟ ସହରରେ କେବେ ଫିଲ୍ମ ସୁଟିଂର ସୁଯୋଗ ମିଳିଲେ ନିଶ୍ଚୟ କରିବି ।’’
- ଜିତେନ୍ଦ୍ରଙ୍କ କନ୍ୟା ଓ ତୁଷାର କପୁରଙ୍କ ଉଭଣୀ ହେଉଛନ୍ତି ଏକତା:-
ଏକତା କପୁର ହେଉଛନ୍ତି 80 ଦଶକର ପ୍ରଖ୍ୟାତ ଅଭିନେତା ଜିତେନ୍ଦ୍ରଙ୍କ କନ୍ୟା ଓ ଅଭିନେତା ତୁଷାର କପୁରଙ୍କ ଭଉଣୀ । ଭାରତୀୟ ଟେଲି ଇଣ୍ଡଷ୍ଟ୍ରିରେ ଏକତା ନିଜର ଭିନ୍ନ ଅନ୍ଦାଜର ଫିଲ୍ମ ଓ ଧାରାବାହିକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଏକତାଙ୍କ ପ୍ରାଯୋଜିତ ଫିଲ୍ମ ‘ଦି ସାବରମତି ରିପୋର୍ଟ’ ଏବେ ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ବହୁଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଗୋଧ୍ରା ଟ୍ରେନ କାଣ୍ଡ ଉପରେ ଆଧାରିତ ଏହି ଚଳଚିତ୍ର ରିଲିଜ ପରଠାରୁ ଚର୍ଚ୍ଚାରେ ରହିଛି । ମୁଖ୍ୟ ଚରିତ୍ର ଭାବେ ବିକ୍ରାନ୍ତ ମେସି ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଛନ୍ତି । ଏକାଧିକ ବିଜେପିଶାସିତ ରାଜ୍ୟ ଏହି ଫିଲ୍ମ ଉପରୁ କର ଛାଡ କରିଛନ୍ତି । ଏହି ଧାରାରେ ଓଡିଶା ମଧ୍ୟ ସାମିଲ ହୋଇଛି । ରାଜ୍ୟରେ ଏହି ଚଳଚିତ୍ର ଟାକ୍ସ ଫ୍ରୀ କରାଯାଇଛି ।
Joined fellow NDA MPs at a screening of 'The Sabarmati Report.'
— Narendra Modi (@narendramodi) December 2, 2024
I commend the makers of the film for their effort. pic.twitter.com/uKGLpGFDMA
- ସ୍ପେଶାଲ ସ୍କ୍ରିନିଂ ଦେଖିଥିଲେ ପ୍ରଧାନମନ୍ତ୍ରୀ ଓ ଟିମ୍
ଗତକାଲି ସଂସଦ ଭବନ ପ୍ରେକ୍ଷାଳୟରେ ଆୟୋଜିତ ସ୍ପେଶାଲ ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଭି ଦେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡାଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ମୁଭି ଦେଖିଥିଲେ । ଚଳଚିତ୍ରର ଲିଡ୍ ଚରିତ୍ରରେ ଅଭିନୟ କରିଥିବା ବିକ୍ରାନ୍ତ ମେସି ମଧ୍ୟ ସିନେମା ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ମୁଭିର ପ୍ରଯୋଜନା ଟିମ୍କୁ ଧନ୍ୟବାଦ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର